Categories: ଖେଳ

ଦୁର୍ଘଟଣା ମୋ’ ଜୀବନର ଦୃଷ୍ଟିକୋଣ ବଦଳାଇଦେଇଛି: ପନ୍ତ

ନୂଆଦିଲ୍ଲୀ,୧।୩: ଦୁର୍ଘଟଣା ବଦଳାଇଦେଇଛି ଜୀବନ ଜିଇଁବାକୁ ନେଇ ଚିନ୍ତାଧାରା। ଆମେ କହୁଛୁ ଭାରତୀୟ ଷ୍ଟାର ଉଇକେଟକିପର ରିଷଭ ପନ୍ତଙ୍କ କଥା। ଦୁଇ ମାସ ପୂର୍ବେ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏବେ ସେ ନିଜର ଅଭ୍ୟାସ ସହ ଦଳକୁ ଫେରିବା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି।

ପନ୍ତ କହିଛନ୍ତି, ଏବେ ପୂର୍ବାପେକ୍ଷା ଭଲ ଅନୁଭବ କରୁଛି। ଡାକ୍ତରୀ ଦଳର ସହଯୋଗରେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଫିଟ୍‌ ହୋଇଯିବେ। ଦୁର୍ଘଟଣା ପରେ ଜୀବନ ଜିଇଁବାର ଏକ ଦୃଷ୍ଟିକୋଣ ପାଇଛି। ଏବେ ମୁଁ ଜୀବନର ପ୍ରତ୍ୟେକ ମୂହୁର୍ତ୍ତକୁ ଉପଭୋଗ କରୁଛି। ଆମେ ବଡ଼ ସ୍ବପ୍ନ ପୂରଣ କରିବାକୁ ଯାଇ ଜୀବନର ଛୋଟ ଖୁସିକୁ ସେଲିବ୍ରେଟ୍‌ କରିବାକୁ ଭୁଲିଯାଉ। ଦୁର୍ଘଟଣା ପରେ ନିଜେ ବ୍ରଶ କରିବା, ଖରାରେ ବସିବାକୁ ଭଲ ଲାଗୁଛି। ଏହି ଘଟଣା ପରେ ଜୀବନରେ ଅନେକ କିଛି ବଦଳିଯାଇଛି। ଛୋଟ ଛୋଟ ଜିନିଷକୁ ଏବେ ବୁଝୁଛି। ପ୍ରତିଟି ମୂହୁର୍ତ୍ତକୁ ମନଭରି ଉପଭୋଗ କରୁଛି। ଏସବୁ ଭିତରେ କ୍ରିକେଟ ବହୁତ ମନେ ପଡ଼ୁଛି। କାରଣ ମୋ ଜୀବନ ତା ଚାରିପାଖେ ହିଁ ଘୁରିବୁଲେ। ପୁଣି ଥରେ ସୁସ୍ଥ ହୋଇ କ୍ରିକେଟ ଖେଳିବା ଦିନକୁ ଅପେକ୍ଷା କରିପାରୁନାହିଁ। ନିଜକୁ ଭାଗ୍ୟବାନ ବୋଲି ଭାବେ କାରଣ ମୋତେ ଏତେ ଭଲ ପ୍ରଶଂସକ ମିଳିଛନ୍ତି। ସେମାନଙ୍କୁ ଏତିକି କହିବି ଭାରତୀୟ ଟିମ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି।

Share