Categories: ଖେଳ

ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍‌, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ

ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଅତିଥି ଟିମ୍‌କୁ ଭାରତୀୟ ଦଳ ୨୧୨ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ରାସି ଭାନ ଡର ଡୁସେନ ଏବଂ ଡେଭିଡ ମିଲର ଟିମ୍‌ ଇଣ୍ଡିଆ ହାତରୁ ମ୍ୟାଚ୍‌କୁ ଛଡ଼ାଇ ନେଇଥିଲେ। ତେବେ ପ୍ରଥମ ଟେଷ୍ଟରେ ପରାସ୍ତ ହେବା ପରେ ପନ୍ତ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ମ୍ୟାଚ୍‌ ହାରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି। ଏହାପୂର୍ବରୁ ବିରାଟ କୋହଲି ଟି୨୦ରେ ଅଧିନାୟକ ଭାବେ ଡେବ୍ୟୁ କରି ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। କୋହଲିଙ୍କ ନେତୃତ୍ୱରେ ୨୦୧୭ରେ କାନପୁର ଟି୨୦ ମ୍ୟାଚ୍‌ରେ ଭାରତକୁ ଇଂଲଣ୍ଡ ୭ ଉଇକେଟରେ ପରାଜିତ କରିଥିଲା।

ତେବେ ପନ୍ତ ଟି୨୦ରେ ନେତୃତ୍ୱ ନେଇଥିବା ୮ମ ଭାରତୀୟ ଅଧିନାୟକ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏହି ଫର୍ମାଟରେ ଭାରତୀୟ ଦଳର ପ୍ରଥମ ଅଧିନାୟକ ଥିଲେ। ସେ ମାତ୍ର ଗୋଟିଏ ଟି୨୦ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏହାପରେ ମହେନ୍ଦ୍ର ସିଂହ ଧୋନୀ ଦ୍ୱିତୀୟ ଅଧିନାୟକ ଭାବେ ନେତୃତ୍ୱ ନେଇଥିଲେ। ୨୦୦୭ରେ ସେ ଅଧିନାୟକ ଭାବେ ଡେବ୍ୟୁ କରିଥିଲେ। ସୁରେଶ ରାଇନା ୨୦୧୦-୧୧ ମଧ୍ୟରେ ତିନୋଟି ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିଲେ। ପରେ ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ଶିଖର ଧାଓ୍ବନ ପ୍ରମୁଖ ଏହି ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇସାରିଛନ୍ତି।

Share