Categories: ଖେଳ

୩୦ କୋଟି ରୋଜଗାର କରି ବିଶ୍ୱ ରେକର୍ଡ କଲେ ପନ୍ତ, କୋହଲିଙ୍କୁ ବି ଟପିଗଲେ…

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଲାଗି ନଭେମ୍ବର ୨୪ ଏକ ସ୍ମରଣୀୟ ଦିନ। କାରଣ ଏହି ଦିନ ତାଙ୍କ ଉପରେ ଟଙ୍କା ବର୍ଷା ହୋଇଛି ଯାହାର କଳ୍ପନା କେହି ବି କରି ନ ଥିଲେ। ତେବେ ଆଇପିଏଲ ଅକ୍ସନରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ତାଙ୍କୁ ରେକର୍ଡ ୨୭ କୋଟି ଟଙ୍କାରେ କିଣିଛି। ଏହାଯୋଗୁ ସେ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ପାଲଟିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସେ ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ କଣ୍ଟ୍ରାକ୍ଟ ଜରିଆରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା କ୍ରିକେଟର ଏବଂ ଭାରତୀୟ ଖେଳାଳି ପାଲଟିଛନ୍ତି।

ଆଇପିଏଲ୍‌ରୁ ପନ୍ତ ୨୭ କୋଟି ଟଙ୍କା ପାଇବାକୁ ଥିବା ବେଳେ ବିସିସିଆଇ କଣ୍ଟ୍ରାକ୍ଟରୁ ୩ କୋଟି ପାଇବେ। ଅର୍ଥାତ ପନ୍ତ ବର୍ଷକୁ ୩୦ କୋଟି ଟଙ୍କା ପାଇବେ, ଯାହାକି ବିରାଟ କୋହଲିଙ୍କଠାରୁ ଅଧିକ।

କୋହଲିଙ୍କ ପାଖରେ ବିସିସିଆଇର ଏ ପ୍ଲସ କଣ୍ଟ୍ରାକ୍ଟ ଅଛି। ତଦନୁଯାୟୀ ତାଙ୍କୁ ବର୍ଷକୁ ୭ କୋଟି ମିଳୁଛି। ଏହାଛଡ଼ା ଆଇପିଏଲ୍‌ରେ ଆର୍‌ସିବି ତାଙ୍କୁ ୨୧ କୋଟି ଟଙ୍କାରେ ରିଟେନ କରିଛି। ଏଣୁ ତାଙ୍କର ବାର୍ଷିକ ଆୟ ୨୮ କୋଟି ହୋଇଛି। ତୁଳନା କଲେ ପନ୍ତ ଏହି ଭେଟେରାନଙ୍କଠାରୁ ୨ କୋଟି ଟଙ୍କା ଅଧିକ ପାଇବେ। ତେବେ ବିଶ୍ୱର କୌଣସି କ୍ରିକେଟର କଣ୍ଟ୍ରାକ୍ଟ ଜରିଆରେ ଏତେ ଟଙ୍କା ରୋଜଗାର କରୁ ନ ଥିବାରୁ ସେ ରେକର୍ଡ କରିଛନ୍ତି।

ଏହି ତାଲିକାରେ ଏଭଳି ଜଣେ ଖେଳାଳି ନଂ-୩ରେ ଅଛନ୍ତି ଯାହାଙ୍କ ନିକଟରେ ବିସିସିଆଇର କଣ୍ଟ୍ରାକ୍ଟ ନାହିଁ। ସେ ହେଲେ ଶ୍ରେୟାସ ଆୟର। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି। ଯଦି ତାଙ୍କ ପାଖରେ ବିସିସିଆଇର କଣ୍ଟ୍ରାକ୍ଟ ଥାନ୍ତା ତେବେ ସେ ନିଶ୍ଚିତ ଭାବେ ବିରାଟଙ୍କୁ ଟପି ଯାଇପାରିଥାନ୍ତେ।