Categories: ଖେଳ

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି ଘଟଣାକ୍ରମ ଦୃଶ୍ୟପଟକୁ ବଦଳାଇଦେଇଥିଲା। ରୋହିତ ବିରୋଧୀ ଟିମ୍‌ର ଖେଳାଳିଙ୍କ ଉପରେ ଲଗାତାର ଭାବେ ଚାପ ପକାଇବାକୁ ଚେଷ୍ଟା କରୁଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ହେନେରିକ କ୍ଲାସେନ ସ୍ପିନର୍ସଙ୍କୁ ଜବରଦସ୍ତ ବ୍ୟାଟିଂ କରି ଅଡୁଆରେ ପକାଇଥିଲେ। ଫଳରେ ୬ ଉଇକେଟ ଥାଇ ୨୪ ବଲରେ ମାତ୍ର ୨୬ ରନ୍‌ କରିବାର ଆବଶ୍ୟକତା ରହିଥିଲା। ଠିକ୍‌ ସେତିକି ବେଳେ ବଡ଼ ଗୋଟି ଚାଳନା କରିଥିଲେ ପନ୍ତ, ଫଳରେ ଖେଳର ସମୀକରଣ ବଦଳି ଯାଇଥିଲା।

ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଅର୍ଶଦୀପ ସିଂ ଏବଂ ଜସପ୍ରିତ ବୁମ୍‌ରାଙ୍କ ବୋଲିଂ ଯୋଗୁ ପାଓ୍ବାର ପ୍ଲେରେ ଦକ୍ଷିଣ ଆଫ୍ରିକାର ୨ ଉଇକେଟ ଯାଇଥିଲା। ଏହାପରେ ୫୮ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ହେନେରିକ୍‌ କ୍ଲାସେନ ୨୭ ବଲ୍‌ରେ ୫୭ ରନ୍‌ର ଇନିଂସ ଖେଳି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। ସେ ଅକ୍ଷର ପଟେଲଙ୍କ ଗୋଟିଏ ଓଭରରେ ୨୪ ରନ୍‌ କରି ଆକ୍ରାମକ ନଜର ଆସୁଥିଲେ। ଦଳକୁ ମାତ୍ର ୨୬ ରନ୍‌ର ଆବଶ୍ୟକତା ରହିଥିଲା। ସେତିକି ବେଳେ ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ନିଜର ରଣନୀତି ଆପଣାଇଥିଲେ।

ପନ୍ତ ୧୬ ଓଭର ଶେଷ ହେବା ପରେ ଗୋଡରେ ପ୍ୟାଡ୍‌ ବଦଳାଇବାରେ ବିଳମ୍ବ ପରିଥିଲେ। ଏହା କେବଳ କ୍ଲାସେନଙ୍କ ଖେଳକୁ ପ୍ରଭାବିତ କରିବା ଲାଗି ଥିଲା। ସେ ଲୟରେ ଥିବାରୁ ପନ୍ତ ତାକୁ ଭାଙ୍ଗିବା ଲାଗି ନିଜ ଆଣ୍ଠୁରେ ପଟି ବାନ୍ଧିଥିଲେ। ଏଥିରେ କିଛି ସମୟ ବରବାଦ ହୋଇଥିଲା। କହିବାକୁ ଗଲେ ଏହା ଦଳ ପାଇଁ ପ୍ଲସ୍‌ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ୧୭ତମ ଓଭରରେ ଯେତେବେଳେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଲେ ସେ ଖରାପ ଶର୍ଟ ଖେଳି ଉଇକେଟ ହରାଇଥିଲେ। ଏହାଫଳରେ ମିଲର ଏବଂ କ୍ଲାସେନଙ୍କ ପାର୍ଟନରଶିପ୍‌ ଭାଙ୍ଗି ଯାଇଥିଲା। ଏହାପରଠାରୁ ମ୍ୟାଚ୍‌ ଭାରତୀୟ ଦଳ ପକ୍ଷକୁ ଆସିଥିଲା।

କ୍ଲାସେନ ଆଉଟ୍‌ ହେବା ପରେ ୨୬ ରନ୍‌ କରିପାରି ନ ଥିଲା ଦକ୍ଷିଣ ଆଫ୍ରିକା। ୧୭ତମ ଓଭରରେ ହାର୍ଦ୍ଦିକ ୪ ରନ୍‌ ଦେଇଥିଲେ। ସେହିଭଳି ୧୮ତମ ଓଭର ବୁମ୍‌ରା ପକାଇବାକୁ ଆସିଥିଲେ। ସେ ମାତ୍ର ୨ ରନ୍‌ ଦେଇଥିଲେ। ୧୯ତମ ଓଭରରେ ଅର୍ଶଦୀପ କେବଳ ୪ ରନ୍‌ର ଓଭର ପକାଇଥିଲେ। ଅନ୍ତିମ ଓଭରରେ ୧୬ରନ୍‌ର ଆବଶ୍ୟକତା ରହିଥିଲା। ମିଲର୍‌ ଛକା ମାରିବାକୁ ଯାଇ ଆଉଟ୍‌ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା।

Share