Categories: ଖେଳ

ଆଇପିଏଲ୍‌ରେ ନଜର ଆସିବେ ଋଷଭ ପନ୍ତ… ଦିଲ୍ଲୀ କୋଚ୍‌ ପଣ୍ଟିଂଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୦।୧: ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସିତ ହେଉଛନ୍ତି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ନିକଟରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ସର୍ଜରୀ ଶେଷ ହୋଇଛି। ତାଙ୍କର ଅସୁସ୍ଥତାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ନୂଆ ଅଧିନାୟକ ଖୋଜିବାକୁ ହେବ ବୋଲି କୁହାଯାଉଛି। ହେଲେ ଏସବୁ ମଧ୍ୟରେ ଦିଲ୍ଲୀ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ପନ୍ତ ଆଇପିଏଲ୍‌ ୨୦୨୩ରେ ଖେଳିବା ଲାଗି ଫିଟ୍‌ ନ ହେଲେ ବି ତାଙ୍କୁ ଡଗ୍‌ଆଉଟ୍‌ରେ ସେ ଦେଖିବାକୁ ଚାହିଁବେ ବୋଲି ପଣ୍ଟିଂ କହିଛନ୍ତି।

ଆଇସିସି ରିଭ୍ୟୁରେ ପଣ୍ଟିଂ କହିଛନ୍ତି, ପନ୍ତଙ୍କ ଭଳି ଖେଳାଳି ଗଛରେ ଫଳନ୍ତି ନାହିଁ। ଏଣୁ କେହି ତାଙ୍କ ସ୍ଥାନ ନେଇପାରିବେ ନାହିଁ। ଆମେ ତାଙ୍କ ବଦଳ ବିଷୟରେ ଚିନ୍ତା କରୁଛୁ। ଆମକୁ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି। ଯଦି ସେ ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ହୁଅନ୍ତି, ତେବେ ଆମକୁ ଦ୍ୱିତୀୟ ଅଧିନାୟକର ଆବଶ୍ୟକତା ପଡ଼ିପାରେ। ହେଲେ ଯଦି ସେ ବାସ୍ତବରେ ଖେଳିବାକୁ ଶାରୀରିକ ଭାବେ ଫିଟ୍‌ ନ ହୁଅନ୍ତି ତେବେ ବି ଆମେ ତାଙ୍କୁ ଡଗ୍‌ଆଉଟ୍‌ରେ ଆମ ସହ ଦେଖିବାକୁ ପସନ୍ଦ କରିବୁ ବୋଲି ସେ କହିଛନ୍ତି।

ଦିଲ୍ଲୀ କ୍ୟାପିଟାଲ ଲାଗି ସେ ଜଣେ ଚମତ୍କାର ଲିଡର। ଅଧିନାୟକ ହେବା ସହ ତାଙ୍କ ବ୍ୟବହାର ଏବଂ ହସକୁ ଆମେ ବହୁତ ପସନ୍ଦ କରୁ। ଯଦି ସେ ଯାତ୍ରା କରିବା ଏବଂ ଦଳ ଆଖପାଖରେ ରହିବାକୁ ସକ୍ଷମ ହେବେ ତେବେ ମୁଁ ଚାହିଁବି ଯେ ସେ ସପ୍ତାହର ୭ ଦିନ ଡଗ୍‌ଆଉଟ୍‌ରେ ମୋ’ ପାଖେ ବସନ୍ତୁ। ମାର୍ଚ୍ଚ ଅଧା ଆଡକୁ ଆମେ ଦିଲ୍ଲୀରେ ଭେଟ ହେବୁ ବୋଲି ସୁନିଶ୍ଚିତ କରୁଛି। ସେ ଆମ କ୍ୟାମ୍ପରେ ରହିବାକୁ ସକ୍ଷମ ହେଲେ, ମୁଁ ତାଙ୍କୁ ସାଙ୍ଗରେ ରଖିବି ବୋଲି ପଣ୍ଟିଂ କହିଛନ୍ତି।

Share