ରିଲିଜ୍ ହେବ ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡର ବରିଷ୍ଠ କଳାକାର ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ ‘ଶର୍ମା ଜୀ ନମକିନ’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ମୃତ୍ୟୁ ପୂର୍ବରୁ ରିଷି ଏହି ଫିଲ୍ମର ଏକ ବଡ ଭାଗ ଶୁଟିଂ କରିଦେଇଥିବା ବେଳେ ଏବେ ଏହାକୁ ପୂରଣ କରିଛନ୍ତି ପରେଶ ରାୱଲ । ରିଷିଙ୍କ ଆକଷ୍ମିକ ମୃତ୍ୟୁ ଯୋଗୁ ଫିଲ୍ମଟି ରିଲିଜ୍ ହେବାରେ ବିଳମ୍ବ ହୋଇଛି । ଫିଲ୍ମ ‘ଶର୍ମା ଜୀ ନମକିନ’ ଓଟିଟି ପ୍ଲାଟଫର୍ମ ଅମେଜନ ପ୍ରାଇମ ଭିଡିଓରେ ୩୧ ମାର୍ଚ୍ଚରେ ପ୍ରମିୟର ହେବ । ଏଥିରେ ଜୁହି ଚାୱଲାଙ୍କୁ ବି ଏକ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।
ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ରିଷି କପୁର ଏକ ବ୍ରିଫକେସ ଧରିଥିବା ନଜର ଆସିଛି । ମଫଲର, କଳା ପ୍ୟାଣ୍ଟ ଓ ସ୍ୱେଟର ପିନ୍ଧି ଏକ ଖାଲି ସଡ଼କରେ ହସି ହସି ଯାଉଥିବାର ଦେଖାଯାଇଛି । ଫିଲ୍ମର କାହାଣୀ ନିକଟରେ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି । ସୂଚନାଯୋଗ୍ୟ, ୨୦୨୦ ଏପ୍ରିଲ ୩୦ରେ ଲ୍ୟୁକୋମିଆରେ ପୀଡ଼ିତ ଥିବା ରିଷିଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଥିଲା ।

Share