ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୧୮ ଭୋଟ ମିଳିଛି । ଏହାସହ ପୂର୍ବତନ ମନ୍ତ୍ରୀ କେମି ବୈଡେନୋଚ ପ୍ରଧାନମନ୍ତ୍ରୀ ରେସରୁ ବାହରି ଯାଇଛନ୍ତି । ତାଙ୍କୁ ମାତ୍ର ୫୯ଭୋଟ ମିଳିଥିଲା । ଏବେ ପ୍ରଧାନମନ୍ତ୍ରୀ ରେସରେ ମାତ୍ର ୩ ଜଣ ବାକି ରହିଲେ । ବାଣିଜ୍ୟ ମନ୍ତ୍ରୀ ପେନି ମୋଡୈଟ ୯୨ ଓ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ୮୬ ଭୋଟ ମିଳିଛି । ଏବେ ପରବର୍ତ୍ତି ରାଉଣ୍ଡରେ ସୁନକ, କେନି ମୋଡୈଟ ଓ ଲିଜ ଟ୍ରସଙ୍କ ମଧ୍ୟରେ ମୁକାବିଲା ହେବ ।
ଶେଷ ଦୁଇ ପ୍ରାର୍ଥିଙ୍କ ନାମ ବୁଧବାର ହେବାକୁ ଯାଉଥିବା ୫ମ ରାଉଣ୍ଡ ମତଦାନ ପରେ ଜଣାପଡିବ । ଏହାପରେ ଧ୍ୟାନ ରହିବ ଟୋରି ପାର୍ଟିର ସଦସ୍ୟତା ଆଧାରକୁ ସପକ୍ଷରେ ଆଣିବା । ଅନୁମାନ କରାଯାଇଛି ଏହି ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୧,୬୦,୦୦୦ ଯେଉଁମାନେ ୨ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କ ପାଇଁ ମତଦାନ କରିବେ । ଅଗଷ୍ଟ ଶେଷ ସୁଦ୍ଧା ସେହି ଭୋଟର ଗଣତି କରାଯିବ ଓ ୫ ସେପ୍ଟେମ୍ବର ସୁଦ୍ଧା ବିଜେତାଙ୍କ ନାମ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଗୁରୁବାର ସୁଦ୍ଧା କେବଳ ୨ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ରେସରେ ରହିବେ । ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ସୁନକଙ୍କୁ ସୋମବାର ହୋଇଥିବା ତୃତୀୟ ରାଉଣ୍ଡ ଭୋଟିଂରେ ୧୧୫ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ରାଉଣ୍ଡରେ ୧୦୧ ଓ ପ୍ରଥମ ରାଉଣ୍ଡରେ ୮୮ ଭୋଟ ମିଳିଥିଲା । ସମସ୍ତ ପର୍ଯ୍ୟାୟରେ ସୁନକ ଶୀର୍ଷରେ ରହିଛନ୍ତି ।

Share