କାର୍ତ୍ତିକଙ୍କୁ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତବର୍ଷ ମେଲବୋର୍ନର ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ୍‌ ଇଣ୍ଡିଆନ ସିନେମା ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, କଠିନ ପରିଶ୍ରମ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ୨୦୧୧ରେ ରିଲିଜ୍‌ ହୋଇଥିବା ‘ପ୍ୟାର୍‌ କା ପଞ୍ଚନାମା’ ସହ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଗତ ଦଶନ୍ଧି ମଧ୍ୟରେ ସେ କିଛି ବଡ଼ ହିଟ୍‌ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହା ବ୍ୟତୀତ ଓଟିଟିରେ ରିଲିଜ୍‌ ହୋଇଥିବା କିଛି ୱେବ୍‌ ସିରିଜ୍‌ ମଧ୍ୟ ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ସଫଳତାକୁ ଧ୍ୟାନରେ ରଖି ଭିକ୍ଟୋରିଆର ରାଜ୍ୟପାଳ ଲିଣ୍ଡା ଦେଶାଉ କାର୍ତ୍ତିକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। କାର୍ତ୍ତିକ ଭିକ୍ଟୋରିଆନ ସରକାରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଭାରତୀୟ ସିନେମାରେ ଏହି ସମ୍ମାନ ପାଇବା ତାଙ୍କ ପାଇଁ ବଡ଼ ସୌଭାଗ୍ୟର କଥା। ଏହି ଉତ୍ସବ ଆସନ୍ତା ଅଗଷ୍ଟ ୧୧ରୁ ୨୦ ମଧ୍ୟରେ ହେବ। ଏଥିରେ ‘ସତ୍ୟପ୍ରେମ୍‌ କି କଥା’ ଏବଂ ‘ଭୁଲ ଭୁଲେୟା’ ସହିତ କାର୍ତ୍ତିକଙ୍କ ଚଳଚ୍ଚିତ୍ରର ଅନେକ ସ୍କ୍ରିନିଂ ମଧ୍ୟ ଦେଖିବାକୁ ମିଳିବ।

Share