ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ୩-୧ ଗୋଲରେ ସ୍ପୋଟର୍ସ ହଷ୍ଟେଲକୁ ପରାସ୍ତ କରିଛି। ଏଥିସହ ରାଇଜିଂ ଷ୍ଟାର ସେମିଫାଇନାଲରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଥିଲା। ଫଳରେ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ରାଇଜିଂ ଷ୍ଟାର ପକ୍ଷରୁ ମନୋଜ ସାନ୍ତା, ଅବିନାଶ ମୁଦିଲି ଓ ଜୟନ୍ତ ମହତୋ ଗୋଲ ଦେଇଥିବାବେଳେ ସ୍ପୋଟର୍ସ ହଷ୍ଟେଲ ପକ୍ଷରୁ କେବର ପିଣ୍ଟୁ ସାମଲ ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ବୁଧବାର ଚତୁର୍ଥ କ୍ୱାର୍ଟର ଫାଇନାଲ ୟଙ୍ଗ ଉତ୍କଳ କ୍ଲବ ଏବଂ ବିଡାନାସୀ କ୍ଲବ ମଧ୍ୟରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ।