Categories: ଖେଳ

ରାଇଜିଂ ଷ୍ଟାର-ବିଡ଼ାନାସୀ କ୍ଲବ ଫାଇନାଲ

ଭୁବନେଶ୍ୱର, ୧।୭, (ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ଶୁକ୍ରବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟୀ ହୋଇ ରାଇଜିଂ ଷ୍ଟାର କ୍ଲବ ଓ ବିଡ଼ାନାସୀ କ୍ଲବ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସେମିଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ୩-୨ ଗୋଲରେ ସନ୍‌ରାଇଜ୍‌ କ୍ଲବକୁ ପରାସ୍ତ କରିଥିଲା। ରାଇଜିଂ ଷ୍ଟାର ପକ୍ଷରୁ ମଧୁ ଜାନି ୬୩ ଓ ୮୧ତମ ମିନିଟରେ ୨ଟି ଓ ଜିତୁ ମୁଦୁଲି ୮୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ସନ୍‌ରାଇଜ୍‌ ପକ୍ଷରୁ ଫ୍ଲିଣ୍ଟୋ ଏଫ୍‌. ୫୩ ଓ ସମିର କେର୍କେଟା ୮୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ବିଡ଼ାନାସୀ କ୍ଲବ ୫-୨ ଗୋଲରେ ଜୟଦୁର୍ଗା କ୍ଲବକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ରାଜେଶ କୁମାର ନାୟକ ୮ ଓ ୨୬ ଏବଂ ରାଜେଶ ନାୟକ ୪୩ ଓ ୪୪ତମ ମିନିଟରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ତର୍ଯ୍ୟାମୀ ନାୟକ ୪୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଜୟଦୁର୍ଗାର ଜନମା ଖେସ୍‌ ୬୩ ଓ ୮୭ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ଆସନ୍ତା ରବିବାର ଅପରାହ୍ନ ୫ଟା ୩୦ରେ ଫାଇନାଲ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Share