Categories: ଖେଳ

ରାଇଜିଂ ଷ୍ଟୁଡେଣ୍ଟ, ରେଲଓ୍ବେ, ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ଏଫ୍‌ସି ବିଜୟୀ ହୋଇଛି। କ୍ୟାପିଟାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ୫-୩ ଗୋଲରେ ସ୍ପୋଟର୍‌ସ ଓଡ଼ିଶାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅମୃତା ନାୟକ ୪୯, ୬୦ ଓ ୮୫ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ କରିଥିବାବେଳେ ଗୋଟିଏ ଗୋଲ ଦେଇଥିଲେ ପ୍ରେମଶୀଳା ଲୁଗୁନ। ସ୍ପୋଟର୍‌ସ ଓଡ଼ିଶା ପକ୍ଷରୁ ପ୍ରତୀମା ନାୟକ ୨ୟ ଓ ୬୭ତମ ମିନିଟରେ ୨ଟି ଏବଂ ସୁବାସିନୀ ସାହା ଗୋଟିଏ ଗୋଲ ସ୍କୋର କରିଥିଲେ। ମନୀଷା ନାୟକ ୭୭ତମ ମିନିଟରେ ଗୋଟିଏ ଆତ୍ମଘାତୀ ଗୋଲ ଦେଇଥିଲେ।

ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ୟଏକ ମ୍ୟାଚରେ ଇଷ୍ଟକୋଷ୍ଟ ରେଲଓ୍ବେ ୩-୦ ଗୋଲରେ ଓଡ଼ିଶା ପୋଲିସକୁ ହରାଇ ଦେଇଛି। ତାରା ଖାତୁନ ୪୭, ୟୁମନାମ କମଳା ଦେବୀ ୭୮ ଓ ଲହରି ମଙ୍ଗରାଜ ୯୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୭ମ ବାଟାଲିଅନ ପଡ଼ିଆରେ ଓଡ଼ିଶା ଏଫ୍‌ସି ୭-୦ ଗୋଲରେ ଓଜିପି କ୍ଲବକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅଧିନାୟିକା ପ୍ୟାରୀ ଖାଖା ୪, ୯ ଓ ୨୫ତମ ମିନିଟରେ ୩ଟି ଏବଂ ମୁନିକା ମିଞ୍ଜ ୪୨, ବନ୍ୟା କବିରାଜ ୭୪, ସାଲୋନି ୭୭ ଓ ମାଳତୀ ମୁଣ୍ଡା ୯୦+୨ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

Share