ବିପଦ ପୁଣି ଘନେଇଲା: ଭାରତ କରୋନା ସଂକ୍ରମଣର ଏକ ନମ୍ବର ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୁଧବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୭୫୨ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏହି ଧାରା ଜାରି ରହିଲେ ଭାରତ ଖୁବ୍‌ ଶୀଘ୍ର କରୋନା ସଂକ୍ରମଣ ତାଲିକାରେ ଶୀର୍ଷରେ ରହିବାର ଆଶଙ୍କା ରହିଛି। ସେତେବେଳେ ପ୍ରତି ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାସାଚ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୨୦୨୧ ଫେବୃୟାରୀ ସୁଦ୍ଧା ପ୍ରତିଦିନ ଦେଶର କରୋନା ସଂକ୍ରମଣ ସ୍ଥିତି ଏଭଳି ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୮୪ଟି ଦେଶରେ ହୋଇଥିବା କରୋନା ସଂକ୍ରମଣ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ କୋଟି ଛୁଇଁବ ବୋଲି ଏଥିରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିଦିନ ୯୫ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବାର ଆଶଙ୍କା ରହିଥିବାବେଳେ ଦକ୍ଷିର ଆଫ୍ରିକାରେ ୨୧ ହଜାର ଏବଂ ଇରାନରେ ୧୭ ହଜାର ଆକ୍ରାନ୍ତ ଚିହ୍ନଟ ହେବେ।

Share