ତୃତୀୟ ଲହର ଆଶଙ୍କା ଘନେଇଲା, କରୋନାର ନୂଆ ଭାରିଆଣ୍ଟ୍‌ ଚିହ୍ନଟ …

ମୁମ୍ବାଇ,୨୧।୯: ପୁଣି ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହା ଦ୍ୱାରା ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଚିହ୍ନଟ ହୋଇଥିବା ଭୂତାଣୁ ଡେଲ୍ଟା ଭାରିଆଣ୍ଟର ସବ-ଲାଇନ ଏଓ୍ବାଇ.୪ ବୋଲି କୁହାଯାଉଛି। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି। ଏହା କେତେ ବିପଜ୍ଜନକ ସେନେଇ ପରୀକ୍ଷା ନିରୀକ୍ଷାେ ଜାରି ରହିଛି।

କୋଭିଡ -୧୯ ଜେନୋମ ସର୍ଭିଲାନ୍ସ ସମୟରେ ମହାରାଷ୍ଟ୍ରରୁ ଏପ୍ରିଲରେ ସଂଗ୍ରହ କରାଯାଇଥିବା ନମୁନା ମଧ୍ୟରୁ ୧ ପ୍ରତିଶତରେ ଏଓ୍ବାଇ.୪ ମିଳିଥିଲା। ଏହା କେତେ ଶୀଘ୍ର ସଂକ୍ରମଣ ହେଉଛି ସେ ସମ୍ପର୍କରେ ଗବେଷଣା ଜାରି ରହିଛି।

ଜୁଲାଇରେ ଏହି ଭାରିଆଣ୍ଟ୍‌ ଦ୍ୱାରା ୨ ପ୍ରତିଶତ ମାମଲା ରହିଥିବାବେଳେ ଅଗଷ୍ଟରେ ଏହା ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ଅଗଷ୍ଟ ପରଠାରୁ ବିଶ୍ଳେଷଣ କରାଯାଇଥିବା ୩୦୮ଟି ନମୁନା ମଧ୍ୟରୁ ଡେଲ୍ଟା (ବି.୧.୬୧୭.୨) ଦ୍ୱାରା ୧୧୧ ଜଣ ଆକ୍ରାନ୍ତ ହୋଇଥିଲେ। ଏହାର ପ୍ରତିଶତ ୩୬ ରହିଛି। ସେହିପରି ଏଓ୍ବାଇ.୪ ଦ୍ୱାରା ୧୩୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ପ୍ରତିଶତ ୪୪ ରହିଛି।

ଗତ ସପ୍ତାହରେ ଶେଷ ହୋଇଥିବା ଜିନୋମ ସିକ୍ୱେସିଂରେ ଏଓ୍ବାଇ.୪ ସହିତ ଅନ୍ୟ କେତେକ ଡେଲ୍ଟା ଡେରିଭେଟିଭ ମଧ୍ୟ ମିଳିଥିଲା। ବେଙ୍ଗାଲୁରୁରେ ସଂକ୍ରମିତ ଲୋକଙ୍କ ନମୁନାକୁ ଶୁକ୍ରବାର ଜେନୋମ ସିକ୍ୱେସିଂ ପାଇଁ ପଠାଯାଇଥିଲା। ସେଥି ମଧ୍ୟରେ ତିନୋଟି ଲିନିୟଜ୍‌ ମିଳିଥିଲା। ସେଥିରେ ଡେଲ୍ଟା ସହିତ ଏହାର ସବ-ଲିନିୟଜ୍‌ ଏଓ୍ବାଇ.୪ ଏବଂ ଏଓ୍ବାଇ.୧୨ ରହିଛି।

 

 

Share