ଘନଉଛି ବାତ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ) ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ପ୍ରବାହ ଏବେ ବି ଜାରି ରହିଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହା ଅଧିକ ଚିହ୍ନିତ ଏବଂ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଏଥିଯୋଗୁ ଏବେ ଉତ୍ତର-ପୂର୍ବ ଦିଗରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏଥିସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

Share