ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ବିଶେଷଜ୍ଞମାନେ ଏହି ଚେତାବନୀ ଦେଇଛନ୍ତି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ମୋଟ ୧୩୫ ତାପଜ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ୍‌ ମଧ୍ୟରୁ ୭୨ଟି ପାଖରେ ମାତ୍ର ୩ ଦିନର କୋଇଲା ବଳକା ରହିଛି। ଅର୍ଥାତ୍‌ ଏସବୁ ପ୍ଲାଣ୍ଟ୍‌ କେବଳ ୩ ଦିନ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରିବ।

ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଉଥିବାବେଳେ ଏବଂ ଯୋଗାଣ କମିବାରେ ଲାଗିଛି। ଫଳରେ ଭାରତରେ ମଧ୍ୟ ଅନ୍ଧାର ଘୋଟିବା ଆଶଙ୍କା ଦେଖାଦେଇଛି। ଉତ୍ପାଦନ ସମ୍ପର୍କରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ମନିଟରିଂ ଅନୁଯାୟୀ, ୫୦ଟି କେନ୍ଦ୍ରରେ ୪ ରୁ ୧୦ ଦିନ ପର୍ଯ୍ୟନ୍ତ ମହଜୁଦ୍‌ ରହିଛି।ସେହିପରି ୧୩ଟି ପ୍ଲାଣ୍ଟରେ ୧୦ ଦିନରୁ ଅଧିକ କୋଇଲା ବଳକା ରହିଛି। ଏହା ସହିତ, କରୋନା ମହାମାରୀ ସମୟରେ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଏହା ବ୍ୟତୀତ କୋଇଲା ରପ୍ତାନିରେ ମଧ୍ୟ ସମସ୍ୟା ରହିଛି। ବର୍ତ୍ତମାନ ଦେଶରେ ଦିନକୁ ୪ ବିଲିୟନ ୟୁନିଟ ଚାହିଦା ରହିଛି। ଏପରିସ୍ଥଳେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୬୫ ରୁ ୭୦ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦିତ ହେଉଛି। ତଥ୍ୟ ଅନୁଯାୟୀ, ୨୦୧୯ରେ କୋଭିଡ ସମୟରେ ମାସକୁ ୧୦୬ ବିଲିୟନ ୟୁନିଟ ଚାହିଦା ରହିଥିଲା। ଏବେ ଏହା ମାସକୁ ୧୨୪ ବିଲିୟନ ୟୁନିଟକୁ ବୃଦ୍ଧି ପାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ୧୩୫ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ ଉତ୍ପଦନ ୬୬.୩୫ ପ୍ରତିଶତ ରହିଛି। ଯଦି କୋଇଲା ଅଭାବରୁ ୭୨ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଏ, ତେବେ ଉତ୍ପାଦନ ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇବ। ଏହାଦ୍ୱାରା ଦେଶରେ ଶକ୍ତି ସଙ୍କଟ ଦେଖାଦେଇପାରେ। ଗତ ଦୁଇ ବର୍ଷ ମଧ୍ୟରେ କୋଇଲା ବ୍ୟବହାର ୧୮ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମହଜୁଦ୍‌ ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଇଲା ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କୋଇଲା ସଙ୍କଟର ଆକଳନ ଅଗଷ୍ଟରେ କରାଯାଇଥିଲା। ଅଗଷ୍ଟ ୧ ରେ ସୂଚନା ପ୍ରଦାନ କରାଯାଇଥିଲା ଯେ,ମାତ୍ର ୧୩ ଦିନର କୋଇଲା ବଳକା ରହିଛି। କୋଇଲା ଅଭାବ ଯୋଗୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଉତ୍ପାଦନ କେନ୍ଦ୍ର ପ୍ରଭାବିତ ହୋଇଛି। ଏହି କାରଣରୁ, ଅଗଷ୍ଟ ମାସର ଶେଷ ସପ୍ତାହରେ ବିଦ୍ୟୁତ୍‌ ଉତ୍ପାଦନ ୧୩,୦୦୦ ମେଗାୱାଟ ହ୍ରାସ ପାଇଛି।

Share