ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା:ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୧୯ା୩ (ଅନିଲଦାସ):ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏପ୍ରିଲ ଓ ମେ’ ମାସରେ ପ୍ରଚାର ସରଗରମ ହେବ। ନିର୍ବାଚନ ସମୟ ହୋଇଥିବାରୁ ରାଲି ଓ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇବ। ବହୁ ସଂଖ୍ୟାରେ ଜନ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ନିର୍ବାଚନ ପାଇଁ ଜରୁରିକାଳୀନ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଏସ୍‌ଆର୍‌ସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୋମବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଭାରତର ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ଆଗୁଆ ଜରୁରିକାଳୀନ ପ୍ରସ୍ତୁତି କରିବାକୁ ଜିଲାପାଳଙ୍କୁ କୁହାଯାଇଛି। ଗ୍ରୀଷ୍ମ ଦାଉରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟସ୍ଥଳ, କାର୍ଯ୍ୟ ସମୟ ନିର୍ଘଣ୍ଟ, ସ୍କୁଲ ସମୟରେ ପରିବର୍ତ୍ତନ, ଉତ୍ତମ ଓ ଜରୁରିକାଳୀନ ଚିକିତ୍ସା ବ୍ୟବସ୍ଥା ଆଦିି କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିିଭାଗ ସମନ୍ବୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତିକୁ ତଦାରଖ କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ଯଦି ନିଜ ଜିଲାରେ କିଛି ଅପ୍ରାକୃତିକ ପରିସ୍ଥିତି ସୃଷ୍ଟି ହେବ ତୁରନ୍ତ ଏସ୍‌ଆର୍‌ସିଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।

Share