ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଲାଣି। ନିକଟରେ ବ୍ରିଟେନ୍‌ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣା ପଡ଼ିଛି ଯେ, ବାୟୁ ପ୍ରଦୂଷଣ କାରଣରୁ ଧୂମପାନ କରୁ ନ ଥିବା ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଦୂଷିତ ବାୟୁରେ ଥିବା କ୍ଷତିକାରକ କଣିକା ସବୁ ପ୍ରଶ୍ୱାସରେ ଯାଇ ମନୁଷ୍ୟ ଶରୀର ଭିତରେ କ୍ୟାନ୍‌ସର ଜିନ୍‌ ତିଆରି କରିଥାଏ। ଏହାଫଳରେ ଆଦୌ ସ୍ମୋକ୍‌ କରୁ ନ ଥିବା ବ୍ୟକ୍ତିଙ୍କ ଶରୀରରେ ଟ୍ୟୁମର ସୃଷ୍ଟି କରିଥାଏ, ଯାହା ଆଗାମୀ ଦିନରେ ବଢ଼ି କ୍ୟାନ୍‌ସରର ରୂପ ନେଉଥିବା ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଫୁସ୍‌ଫୁସ୍‌ କର୍କଟର ମୁଖ୍ୟ କାରଣ ଧୂମପାନ ହୋଇଥିବାବେଳେ ଦୂଷିତ ବାୟୁ ଏହାର ଆଉ ଏକ ମାଧ୍ୟମ ପାଲଟିଥିବା ଗବେଷଣାରୁ ଜଣାପଡ଼ିଛି। ସିଗାରେଟ୍‌ ଧୂଆଁରେ ଥିବା ବିଷାକ୍ତ ଗ୍ୟାସ୍‌ ତୁଳନାରେ ପ୍ରଦୂଷିତ ବାୟୁରେ ଅଧିକ ପରିମାଣର କ୍ଷତିକାରର ଗ୍ୟାସ୍‌ ଥିବା ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟର ପ୍ରଫେସର ଚାର୍ଲସ୍‌ ସ୍ବାନ୍ତୋନ କହିଛନ୍ତି। ବ୍ରିଟେନ୍‌ର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ ଏବଂ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ମିଳିତ ଭାବେ ଏହି ଗବେଷଣା କରିଛନ୍ତି। ଉକ୍ତ ଅଧ୍ୟୟନ ପାଇଁ ଗବେଷକମାନେ ବ୍ରିଟେନ୍‌, ତାଇଓ୍ବାନ୍‌, ସାଉଥ୍‌ କୋରିଆରୁ ୪ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ।
ବଢ଼ୁଥିବା କ୍ୟାନ୍‌ସର ରୋଗୀଙ୍କ ମାମଲାକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ ଦ୍ୱାରା ରୋଗର ଚିକିତ୍ସା ପାଇଁ ମେଡିକାଲ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ। କମ୍‌ ବାୟୁ ପ୍ରଦୂଷଣ ହେଉଥିବା କାନାଡାରେ ପ୍ରତିବର୍ଷ ୮ ହଜାର ଲୋକ ଦୂଷିତ ବାୟୁ କାରଣରୁ ପ୍ରାଣ ହରାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share