ଯୌନ ନିର୍ଯାତିତ ପିଲାଙ୍କ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ଲଣ୍ଡନ, ୨୭ା୯: ଶିଶୁଙ୍କୁ ଯୌନ, ଶାରୀରିକ ନିର୍ଯାତନା ସେମାନଙ୍କ ପାଇଁ କାଳ ସାଜିପାରେ। ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତି ଅବହେଳାର ଶିକାର ହେଉଥିବା ପିଲା। ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା ପିଲାମାନେ ଉପଯୁକ୍ତ ଯତ୍ନ, ସ୍ନେହ ଅଭାବରୁ ଆଜୀବନ କଷ୍ଟ ପାଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ଅକାଳରେ ଝଡ଼ିଯିବାର ଆଶଙ୍କା ଅଧିକ ରହିଥାଏ ବୋଲି ଗବେଷକମାନେ ସଦ୍ୟ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି।

ଯୌନ ନିର୍ଯାତନା, ଶାରୀରିକ ଯାତନା କିମ୍ବା ଅବହେଳାର ଶିକାର ହୋଇଥିବା ପିଲାମାନଙ୍କ ଯୁବାବସ୍ଥାରେ ମୃତ୍ୟୁ ଘଟିବା ଆଶଙ୍କା ରହିଛି। ୟୁସିଏଲ୍‌ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ବିଏମ୍‌ଜେ ଓପନ୍‌ରେ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ୧୬ ବର୍ଷ ବୟସ ମଧ୍ୟରେ ଯୌନ ନିର୍ଯାତନାର ଶିକାର ହୋଇ ଏ ବାବଦରେ ଅଭିଯୋଗ କରି ନ ଥିବା ପିଲାଙ୍କ ୪୫ରୁ ୫୮ ବର୍ଷ ମଧ୍ୟରେ ମୃତ୍ୟୁ ଘଟିବା ଆଶଙ୍କା ୨.୬ ଗୁଣା ଅଧିକ। ସେହିପରି ୧୬ ବର୍ଷ ବୟସ ମଧ୍ୟରେ ନିର୍ଯାତନା ପାଇବା ସମ୍ପର୍କରେ ରିପୋର୍ଟ କରୁଥିବା ପିଲାମାନଙ୍କଠାରେ ଏହି ଆଶଙ୍କା ୧.୭ ଗୁଣ ରହିଛି। ଅବହେଳିତ ଶିଶୁଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ୧.୪ ଗୁଣ ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି।
୧୯୫୮ ମସିହାରେ ଜନ୍ମିତ ୯,୩୧୦ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ତାହାର ଅନୁଧ୍ୟାନ କରାଯାଇଥିଲା, ଯେଉଁମାନେ ଜାତୀୟ ଶିଶୁ ବିକାଶ ଅଧ୍ୟୟନରେ ସାମିଲ ହୋଇଥିଲେ। ପୀଡ଼ିତ ବ୍ୟକ୍ତିଙ୍କ ଯୁବାବସ୍ଥାରେ ମୃତ୍ୟୁର କାରଣ ଜାଣିବା ନିମନ୍ତେ ଅଧ୍ୟୟନକାରୀ ସେମାନଙ୍କ ସାମାଜିକ-ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ କାରକଗୁଡ଼ିକର ସମୀକ୍ଷା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ନିର୍ଯାତିତ ତଥା ଉପେକ୍ଷିତଙ୍କ ମୃତ୍ୟୁ ପଛରେ ଧୂମପାନ ଏକ ପ୍ରମୁଖ କାରଣ। ଏହାବାଦ୍‌ ନିଶା ସମ୍ପର୍କିତ ଅନ୍ୟାନ୍ୟ ବଦଭ୍ୟାସ ମଧ୍ୟ କେତେକଙ୍କ କ୍ଷେତ୍ରରେ ମୃତ୍ୟୁକୁ ଡାକି ଆଣିଥାଏ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ପ୍ରତିକୂଳ ଘଟଣା ସାମ୍‌ନା କରିବା ସାଧାରଣ କଥା ନୁହେଁ। ଏହା ଦ୍ୱାରା ବିଶେଷ କରି ବ୍ରିଟେନ୍‌ର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ଏହି ଅନୁସନ୍ଧାନ ବେଶ୍‌ ଗୁରୁତ୍ୱ ରଖେ ବୋଲି ଗବେଷଣାର ନେତୃତ୍ୱ ନେଇଥିବା ଡା. ନିନା ରୋଜର୍ସ କହିଛନ୍ତି। ସେହିପରି ଅବହେଳିତ ପିଲାଙ୍କ ଯୁବାବସ୍ଥାରେ ମୃତ୍ୟୁ ଆଶଙ୍କା ୪୩ ପ୍ରତିଶତ ଅଧିକ ବୋଲି ସିନିୟର ଅଥର ଡା. ସ୍ନେହାଲ ପିଣ୍ଟୋ ପେରେରା କହିଛନ୍ତି।

Share