ଲକ୍ଷ୍ନୌରେ ମତଦାନ ପୂର୍ବରୁ ରାଜନୈତିକ ହଇଚଇ: ଅଖିଳେଶଙ୍କୁ ଭେଟିଲେ ଭାଜପା ଏମ୍‌ପି ରୀତା ବହୁଗୁଣାଙ୍କ ପୁଅ ମୟାଙ୍କ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବୁଧବାର ଲକ୍ଷ୍ନୌ ସମେତ ୯ଟି ଜିଲାରେ ମତଦାନ ଜାରି ରହିଛି। ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ରୀତା ବାହୁଗୁଣା ଯୋଶୀଙ୍କ ପୁଅ ମୟାଙ୍କ ଯୋଶୀ ସମାଜବାଦୀ ପାର୍ଟି(ଏସ୍‌ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ଟୁଇଟ କରି ମୟାଙ୍କ ସହ ଏହି ସାକ୍ଷାତକାର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ଏହି ଅବସରର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏସ୍‌ପି ମୁଖ୍ୟଙ୍କୁ ଭେଟିବା ପରେ ମୟାଙ୍କ ପୂର୍ବତନ ମନ୍ତ୍ରୀ ଅଭିଷେକ ମିଶ୍ରାଙ୍କୁ ମଧ୍ୟ ଭେଟିଛନ୍ତି। ଏହି ସାକ୍ଷାତକାରକୁ ଅଖିଳେଶ ସୌଜନ୍ୟମୂଳକ ବୋଲି କହିଛନ୍ତି। କିନ୍ତୁ ନିର୍ବାଚନର ପୂର୍ବ ସନ୍ଧ୍ୟାରେ ହୋଇଥିବା ଏହି ବୈଠକକୁ ନେଇ ରାଜନୈତିକ ଅର୍ଥ ବାହାର କରାଯାଉଛି। ସୂଚନାଯୋଗ୍ୟ, ମୟାଙ୍କ ଯୋଶୀ ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନର ପାଇଁ ଭାଜପାରୁ ଟିକେଟ ପାଇଁ ଆବେଦନ କରିଥିଲେ। ଯେଉଁଠାରୁ ତାଙ୍କ ମା’ରୀତା ବହୁଗୁଣା ଯୋଶୀ ବିଧାୟକ ରହିସାରିଛନ୍ତି। କିନ୍ତୁ ଭାଜପା ତାଙ୍କୁ ଟିକେଟ ଦେଇ ନ ଥିଲା। ମୟାଙ୍କ ଭାଜପାରୁ ଟିକେଟ ନ ପାଇବା ପରେ ଏସ୍‌ପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ସେତେବେଳେ ତାହା ମଧ୍ୟ ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ବର୍ତ୍ତମାନ ମତଦାନର ଗୋଟିଏ ଦିନ ପୂର୍ବରୁ ଅଖିଳେଶ ଯାଦବ ଓ ଅଭିଷେକ ମିଶ୍ରଙ୍କ ସହ ମୟାଙ୍କ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share