ସାରା ଜୀବନ ଅବିବାହିତ ଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ; ଲୋକେ ଭାବୁଥିଲେ ଅମିତାଭ ବଚ୍ଚନଙ୍କ ଶାଳି…

ବମ୍ବେ: ବଲିଉଡ୍‌ ଫିଲ୍ମରେ ମା’ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଅଭିନେତ୍ରୀ ରୀତା ଭାଦୁଡ଼ି। ୧୯୫୦ ଜାନୁୟାରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ ଜନ୍ମ। ରୀତାଙ୍କ ବାପା ଇଂରେଜ ସରକାର ଅମଳରେ କମିଶନର ଥିବା ବେଳେ ମା’ ଚନ୍ଦ୍ରିମା ନିଜ ସମୟର ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ୩୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ମା’ଙ୍କୁ ଦେଖି ଦେଖି ରୀତା ପିଲାଟିଦିନରୁ ଅଭିନେତ୍ରୀଟିଏ ହେବାର ସ୍ବପ୍ନ ଦେଖିଥିଲେ। ଏଣୁ ସେ ୧୯୭୧ରେ ପୁଣେରେ ଆକ୍ଟିଂ କୋର୍ସ କରିଥିଲେ। ୧୯୭୪ରେ ‘ଆଇନା’ ଚଳଚ୍ଚିତ୍ରରେ ତାଙ୍କୁ ସାଧାରଣ ଚରିତ୍ରରେ ଅଭିନୟର ସୁଯୋଗ ମିଳିଥିଲା। ହିନ୍ଦି ସିନେମାରେ ବଡ଼ ଅଭିନେତ୍ରୀ ହେବାର ସୁଯୋଗ ମିଳି ନ ଥିଲେ ହେଁ ମାଲାୟାଲାମ ଫିଲ୍ମ ‘କନ୍ୟାକୁମାରୀ’ ତାଙ୍କୁ ଅଫର ମିଳିଥିଲା। ଏହାପରେ ସେ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଥିଲେ। ହେଲେ ତାଙ୍କୁ ମୁଖ୍ୟ ଚରିତ୍ରଟିଏ ମିଳି ନ ଥିଲା। ସେ ସପୋର୍ଟିଂରେ ଅଭିନୟ କରି ଆସୁଥିଲେ।

ରୀତା ଅଭିନୟକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। ଲୋକେ ତାଙ୍କୁ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଭଉଣୀ ତଥା ଅମିତାଭ ବଚ୍ଚନଙ୍କ ଶାଳୀ ବୋଲି ଭାବୁଥିଲେ। ଏକଦା ସେ ଜୟପୁର ଯାଇଥିବା ସମୟରେ ତାଙ୍କୁ କେହି ଏ ବିଷୟରେ ପଚାରିଥିଲେ। ଏହାଶୁଣି ସେ ଦୁଃଖୀ ହୋଇଯାଇଥିଲେ। କାରଣ ସେ ଅଭିନେତ୍ରୀ ହୋଇଥିବା ସତ୍ତ୍ୱେ ଏତେ ଦିନ ଯାଏ କିଭଳି କିଏ ଜାଣିନାହାନ୍ତି ସେ ଭାବିଥିଲେ। ଧିରେ ଧିରେ ଏହା ଶୁଣି ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା।

ଜୀବନରେ ବିବାହ କରିବେ ନାହିଁ ବୋଲି ରୀତା ଭାବିଥିଲେ। ତାହା ହିଁ କରିଥିଲେ। ବମ୍ବେର ନିଜର ଫ୍ଲାଟ୍‌ରେ ସେ ରହୁଥିଲେ। ୬୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

Share