ରିତେଶଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ଅଭିନେତା ରିତେଶ ଦେଶ୍‌ମୁଖ ଓଟିଟିରେ ଡେବ୍ୟୁ କରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ଜିଓ ସିନେମାରେ ତାଙ୍କର ପ୍ରଥମ ୱେବ୍‌ ସିରିଜ ‘ପିଲ୍‌’ର ଷ୍ଟ୍ରିମିଂ ଶୁକ୍ରବାର ଆରମ୍ଭ ହୋଇଛି। ଫିଲ୍ମରେ ରିତେଶ ଜଣେ ଡକ୍ଟରଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ସେ ଫାର୍ମା ଇଣ୍ଡଷ୍ଟ୍ରିରେ ଚାଲିଥିବା ଅନେକ ସ୍କାମ୍‌ ଏବଂ ଠକେଇ ବିଷୟରେ ଜାଣିପାରୁଛନ୍ତି ଯାହା ସାଧାରଣ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିବ। ତେଣୁ ଏହିସବୁ ଦୁର୍ନୀତିଗୁଡ଼ିକୁ ରିତେଶ କିପରି ପର୍ଦ୍ଦାଫାଶ କରୁଛନ୍ତି, ତାକୁ ନେଇ କାହାଣୀ ଆଗକୁ ବଢ଼ିଛି। କୌଣସି ଗ୍ୟାଙ୍ଗ୍‌ ୱାର୍‌, ରୋମାନ୍ସ କିମ୍ବା ନଗ୍ନତା ନ ଥାଇ ମଧ୍ୟ ଏହି ୱେବ୍‌ ସିରିଜ ଦର୍ଶକଙ୍କ ପାଇଁ ଏକ ଭଲ କାହାଣୀ ପ୍ରସ୍ତୁତ କରିପାରିଛି ବୋଲି କେତେଜଣ ଫିଲ୍ମ ସମୀକ୍ଷକ ମତ ଦେଇଛନ୍ତି। ଫାର୍ମା ଇଣ୍ଡଷ୍ଟ୍ରି ସହ ଜଡ଼ିତ ଏବଂ ରୋଗୀମାନଙ୍କ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଏହି ୱେବ୍‌ ସିରିଜରେ ଉଠାଯାଇଛି, ଯାହାକୁ ପ୍ରଥମ ଦିନରେ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି।
କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ‘ପିଲ୍‌’ ସିରିଜରେ ରିତେଶ ଦେଶମୁଖଙ୍କ ସହ ପୱନ ମାଲହୋତ୍ରା, ଅକ୍ଷତ୍‌ ଚୌହାନ, ଅନ୍‌ସୁଲ ଚୌହାନ, ବିକ୍ରମ ଧାରିଆ ଓ ହନିଶ୍‌ କୌଶଲ ମଧ୍ୟ ନଜର ଆସିଛନ୍ତି। ଏହି ସିରିଜରେ ଡକ୍ଟର ପ୍ରକାଶଙ୍କ ଭୂମିକାରେ ରିତେଶଙ୍କୁ ଦେଖିବାକୁ ମିଳିବ। ସେହିପରି ତାଙ୍କ ବିପକ୍ଷରେ ପୱନ ମାଲହୋତ୍ରା ଏକ ଫାର୍ମା କମ୍ପାନୀର ସିଇଓ ଭୂମିକାରେ ନଜର ଆସିଛନ୍ତି।

Share