କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ନିକଟସ୍ଥ ବାଉଁଶଗଡ଼ି ନଦୀରେ ଛଡ଼ାଯାଇଛି। ଏପରି ଘଟଣା ଗତ ସେପ୍ଟେମ୍ବର ୧୪ରେ ଏହି ବ୍ଲକର ଗିରିରାଜପୁର ଗଁାରେ ଦେଖିବାକୁ ମିଳିଥିଲା। ଗଁାର ଏକ ରାସ୍ତାରେ ୬ ଫୁଟ ଲମ୍ବର କୁମ୍ଭୀର ଏକ ସାଇକେଲ ଆରୋହୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା। ଏହାବ୍ୟତୀତ ୩ ମାସ ମଧ୍ୟରେ ଜିଲାର ୫ ଜଣଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ମାସ ମଧ୍ୟରେ ୭ ସ୍ଥାନରେ ଗୋବରୀ, ପାଇକା, ବ୍ରାହ୍ମଣୀ, କଣ୍ଠିଆ ଆଦି ନାଳ ଓ ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଛନ୍ତି। ଏହି କାରଣରୁ ଜିଲାର ବିଭିନ୍ନ ନଦୀର କୂଳ ଅସୁରକ୍ଷିତ ହୋଇପଡ଼ିଛି। ଅପରପକ୍ଷରେ ବର୍ଷାଋତୁ ପାଇଁ ଉପାନ୍ତ ଅଞ୍ଚଳର ଜଳବନ୍ଦୀ ଘେରରେ ଥିବା ଗ୍ରାମଗୁଡ଼ିକରେ ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳୁଛି। ବର୍ଷା ଓ ବନ୍ୟା ଜଳରେ ନଷ୍ଟ ହୋଇଥିବା କଚ୍ଚାଘରେ ଏମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜିଲାର ଉପାନ୍ତ ଅଞ୍ଚଳରେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ଦେଖାଯାଉଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ ବିଷରୁ ରକ୍ଷା ପାଇଁ ଇଞ୍ଜେକ୍‌ଶନ ରଖିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ମହାକାଳପଡ଼ାର ହରେକୃଷ୍ଣ ପାତ୍ର କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟାଜନିତ ପାଣି ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରିଛି। ପାନୀୟ ଜଳ, ଚାଷ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ସରୀସୃପ ଆତଙ୍କ ଖେଳିଯାଇଛି। ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ନିକଟସ୍ଥ ଭିତରକନିକା ଅଞ୍ଚଳରୁ ସରୀସୃପ ଗ୍ରାମ ମଧ୍ୟକୁ ପଶିଆସୁଛନ୍ତି। ନଦୀ, ନାଳ ଓ ପୋଖରୀ ଏପରିକି ଚାଷଜମିରେ ଏବେ କୁମ୍ଭୀର ଦେଖାଯାଉଛନ୍ତି। କିଛିଦିନ ପୂର୍ବେ ଏହି ଅଞ୍ଚଳରେ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅପରପକ୍ଷରେ ବର୍ଷା ଓ ବନ୍ୟା ପାଇଁ ବିଷଧର ସାପ ଗ୍ରାମ ମଧ୍ୟରେ ଦେଖାଯାଉଛନ୍ତି। ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ସାପ ଅଧିକ ପରିମାଣରେ ଦେଖାଯାଉଛନ୍ତି। ସର୍ପାଘାତରେ କେତେଜଣଙ୍କର ଜୀବନ ମଧ୍ୟ ଯାଇଥିବା ସେ ସୂଚନା ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁାର ରମେଶ ମଲ୍ଲିକ କହିଛନ୍ତି, ବିଭିନ୍ନ ନଦୀରେ ବନ୍ୟା, ବର୍ଷା ପାଇଁ କୁମ୍ଭୀର ଓ ସାପ ଦେଖାଦେଇଥିବାରୁ ଧୋୟାଞ୍ଚଳରେ ଆତଙ୍କ ଖେଳିଯାଇଛି। ୩ ମାସ ମଧ୍ୟରେ କୁମ୍ଭୀର ଟାଣି ନେଇଥିବାରୁ ୨ ଜଣଙ୍କର ଅମୂଲ୍ୟ ଜୀବନ ଅକାଳରେ ଯାଇଛି। ଏବେ ସିଂହଗଁା ସମେତ ବଡ଼ ରାଉଳିଆ, ସାନ ରାଉଳିଆ ଆଦି ଗ୍ରାମର କଚ୍ଚାଘରେ ବିଷଧର ସର୍ପ ଦେଖାଯାଉଛନ୍ତି। ବିଶେଷକରି ସନ୍ତସନ୍ତିଆ ଘରଗୁଡ଼ିକରେ ଏଗୁଡ଼ିକ ଦେଖାଦେଉଥିବାରୁ ରାତିରେ ଯାତାୟାତ ବନ୍ଦ ସହ ପରିବାର ସଦସ୍ୟ ରାତି ଅନିଦ୍ରା ହେଉଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ପ୍ରତ୍ୟେକ ସିଏଚ୍‌ସିକୁ ସାପ କାମୁଡ଼ା ଇଞ୍ଜେକ୍‌ଶନ ଯୋଗାଇ ଦିଆଯାଇଛି। ସର୍ପ ଆଘାତ କ୍ଷେତ୍ରରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ଆଶ୍ୱାସନା ଦିଅନ୍ତୁ। କାମୁଡ଼ିଥିବା ସ୍ଥାନରେ ପିନ୍ଧିଥିବା ମୁଦି, ଘଣ୍ଟା, ବ୍ରତ, ପାଉଁଜି ଆଦି ଖୋଲିଦେବା ଆବଶ୍ୟକ। ତୁରନ୍ତ ଡାକ୍ତରଖାନା ନେବା ଜରୁରୀ। ସେହିପରି ଏହି ସମୟରେ ଆଦୌ ଡରିବା ବା ବିଚଳିତ ହେବା ଉଚିତ ନୁହେଁ। ରୋଗୀକୁ ଚଲାବୁଲା ବା କାମ କରିବାକୁ ନ ଦେଇ ଟେକି ଟେକି ନେବା ଦରକାର। କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା ବରଫ, ଇଲେକ୍‌ଟ୍ରିକ ସକ୍‌ ଦିଅନ୍ତୁ ନାହିଁ। ଅଧିକାଂଶ ସମୟରେ ସାପବିଷ ଉପରକୁ ଚଢ଼ିଯିବା ଭୟରେ କ୍ଷତ ସ୍ଥାନକୁ ସୁତୁଲି, କତା ଦଉଡ଼ି, କଟା ରବର ଟ୍ୟୁବ୍‌, ବିଦ୍ୟୁତ୍‌ ତାର ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାର କୌଣସି ଆବଶ୍ୟକତା ନାହିଁ। ବ୍ଲେଡ୍‌ ଓ ଛୁରିରେ କ୍ଷତ ସ୍ଥାନକୁ କାଟନ୍ତୁ ନାହିଁ। ଏହି ସମୟରେ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ବ୍ୟବହାର ରୋଗୀର କ୍ଷତି ପହଞ୍ଚାଇପାରେ। ସବୁ ସାମୁଦ୍ରିକ ସାପ ବିଷଧର ବୋଲି ସେ କହିଛନ୍ତି। ସେହିପରି କୁମ୍ଭୀର ଆତଙ୍କ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ କୁମ୍ଭୀର ପ୍ରତି ସାବଧାନ ରହିବାକୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଆଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri