ରକ୍ତିମ ହେଲା ନଦୀଜଳ

ଟୋକିଓ,୩୦।୬: ଜାପାନ ଓକିନାଓ୍ବା ଦ୍ୱୀପ ନାଗୋ ସହରରେ ପ୍ରବାହିତ ନଦୀ ଜଳ ହଠାତ୍‌ ଲାଲ୍‌ ରଙ୍ଗ ଧାରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ନଦୀ ଜଳ ରକ୍ତିମ ବର୍ଣ୍ଣ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଓରିଓନ୍‌ ବ୍ରେଓ୍ବେରିଜ୍‌ ବିୟର୍‌ ଫ୍ୟାକ୍ଟ୍ରିରୁ ସ୍ପଷ୍ଟୀକରଣ ଆସିଲା ଯେ, କାରଖାନାରେ ବ୍ୟବହୃତ ଫୁଡ୍‌ କଲରିଂ ଡାଏ ଲିକ୍‌ ହୋଇ ବର୍ଷାଜଳ ନିଷ୍କାସନ ଲାଗି ବ୍ୟବହାର କରାଯାଉଥିବା ଡ୍ରେନ୍‌ ଦ୍ୱାରା ନଦୀ ଜଳରେ ଯାଇ ମିଶିଛି। ଫଳରେ ନଦୀ ଜଳର ବର୍ଣ୍ଣ ଲାଲ ରଙ୍ଗ ହୋଇଯାଇଛି। ଫୁଡ୍‌ କଲର ମିଶିଥିବା ନଦୀ ଜଳକୁ ବ୍ୟବହାର କରିବା ଦ୍ୱାରା କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନଦୀ ଜଳର ରଙ୍ଗ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଲୋକଙ୍କଠାରେ ଯେଉଁ ଭୟର ବାତାବରଣ ସୃଷ୍ଟି ହୋଇଛି ସେ ଲାଗି ଓରିଓନ୍‌ ବ୍ରେଓ୍ବେରିଜ୍‌ କ୍ଷମା ମାଗିଛି।
ଲାଲ୍‌ ନଦୀ ଜଳର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ମଙ୍ଗଳବାର ସ୍ଥାନୀୟ ସମୟ ସକାଳ ୯ଟା ୩୦ ମିନିଟ୍‌ରେ କମ୍ପାନୀର ଏକ କୁଲିଂ ସିଷ୍ଟମରୁ ଫୁଡ୍‌ କଲର ଲିକ୍‌ ହୋଇଥିବା ଜଣାପଡ଼ିଛି। କମ୍ପାନୀର କୁଲିଂ ପ୍ରୋସେସ୍‌ ପାଇଁ ଫୁଡ୍‌ କଲର (ପ୍ରୋପାଇଲିନ୍‌ ଗ୍ଲାଇକୋଲ)କୁ ବ୍ୟବହାର କରାଯାଉଥିଲା। ସାଧାରଣ ଭାବେ ଏହାକୁ ଡ୍ରଗ୍‌ ଏବଂ କସ୍‌ମେଟିକ୍‌ କାରଖାନାରେ ବିଶେଷ କରି ବ୍ୟବହାର କରାଯାଉଥିବାବେଳେ ଏହା ମଣିଷ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପକାଇବ ନାହିଁ ବୋଲି ଆମେରିକୀୟ ଏଜେନ୍ସୀ ଟକ୍ସିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆଣ୍ଡ୍‌ ଡିଜିଜ୍‌ ରେଜିଷ୍ଟ୍ରି ସୂଚନା ଦେଇଛି। କମ୍ପାନୀରୁ କେଉଁଭଳି ଫୁଡ୍‌ କଲର ଲିକ୍‌ ହେଲା ସେ ନେଇ କର୍ତ୍ତୃପକ୍ଷ ତଦନ୍ତ ଚଳାଇଥିବା ସହ ଭବିଷ୍ୟତରେ ଏଭଳି ଘଟଣା ଘଟିବ ନାହିଁ ବୋଲି ଓରିଓନ୍‌ ବ୍ରେଓ୍ବେରିଜ୍‌ ଅଧ୍ୟକ୍ଷ ହାଜିମେ ମୁରାନୋ ପ୍ରତିକ୍ରିୟାରେ କହିଛନ୍ତି।

Share