ଶୁଖୁଛି ନଦୀଧାର

କୁଚିଣ୍ଡା,୨୯ା୫(ଡି.ଏନ.ଏ.): ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ କୁଚିଣ୍ଡା ଏନ୍‌ଏସିରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଖର୍ଲା ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ କୁଚିଣ୍ଡା ସହରକୁ ଠିକ୍‌ ଭାବେ ଜଳ ଯୋଗାଣ ହୋଇପାରୁ ନାହିଁ। ଫଳରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଖର୍ଲା ନଦୀ ଝୁଲେନ ପୋଲ ପାଖରେ ଥିବା ଏକମାତ୍ର ଜଳ ଯୋଗାଣ ପ୍ରକଳ୍ପରୁ କୁଚିଣ୍ଡା ଏନ୍‌ଏସିର ୧୧ଟି ୱାର୍ଡକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ହୋଇ ଆସୁଛି। ମାତ୍ର ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପରୁ ଖର୍ଲା ନଦୀ ଜଳସ୍ତର କମିଯାଇଛି। ଫଳରେ ଜଳ ଯୋଗାଣକାରୀ ଇନ୍‌ଟାକ୍ଟ ୱେଲରେ ଜଳ ଅଭାବରୁ ସହରକୁ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ସହରରେ ପୂର୍ବରୁ ଥିବା ଜଳ ସଂଯୋଗ ସଂଖ୍ୟା ବଢିଯାଇଥିବାରୁ ଏଭଳି ଜଳ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି। ନଦୀଧାର ଶୁଖିଯିବା ପରେ ଇନଟାକ୍ଟ ୱେଲରେ ପୂର୍ବଭଳି ପାଣି ଗଚ୍ଛିତ ହୋଇପାରୁନି। ଏହି ସମସ୍ୟା ଦେଖାଦେବା ପରେ ସୋମବାର କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ଉପଜିଲାପାଳ ବିଭୂତିଭୂଷଣ ନାୟକ, ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଖର୍ଲା ନଦୀକୁ ଯାଇ ସ୍ଥତି ଅନୁଧ୍ୟାନ କରିଛନ୍ତି। ଜଳ ଯୋଗାଣରେ ଲୋକଙ୍କ ଯେଭଳି ସମସ୍ୟା ନ ହେବ ସେଥିପ୍ରତି ପଦକ୍ଷେପ ନିଆଯାଉଥିବା ବିଧାୟକ ନାଏକ କହିଛନ୍ତି।

Share