Categories: ଜାତୀୟ

ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି…

ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ ଜୀବନ୍ତ ଭାବେ ବିବେଚନା କରାଯାଇଥାଏ। ନଦୀଠାରୁ ପରୋପକାର ଭାବନାରେ ଭରପୁର। ତେଣୁ ଭାରତୀୟ ସଂସ୍କୃତିରେ କୁହାଯାଇଥାଏ ‘ପିବନ୍ତି ନଦ୍ୟାଃ: ସ୍ବୟ ମେବ ପାଭ୍ୟଃ’। ଅର୍ଥାତ୍‌ ନଦୀର ଜଳ କେବେ ନଦୀ ନିଜେ ପିଏନା। ଏହାକୁ ନଦୀ ପରୋପକାରରେ ଲଗାଇଥାଏ। ୮୧ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ପ୍ରଧାନମନ୍ତ୍ରୀ ବିଶ୍ୱ ନଦୀ ଦିବସ ସମ୍ପର୍କରେ ଏଭଳି କହିଛନ୍ତି।

ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି ସଦୃଶ। ନଦୀ ଭାରତୀୟ ସଂସ୍କୃତି ସହିତ ସାମଗ୍ରିକ ମାନବ ଇତିହାସ ସମ୍ପର୍କରେ ପରିପ୍ରକାଶ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ସଂସ୍କୃତିରେ ଏଭଳି ପରୋପକାର କରୁଥିବା ନଦୀକୁ ମା’ କୁହାଯାଇଥାଏ।

ଭାରତର ବହୁ ପର୍ବପର୍ବାଣୀ, ସାମାଜିକ ଉତ୍ସବରେ ନଦୀକୁ ସାମିଲ କରାଯାଇଥିବା ସେ କହିଛନ୍ତି। ସ୍ନାନ ସମୟରେ ଭାରତୀୟ ସଂସ୍କୃତିରେ ଏକ ଶ୍ଲୋକ ବୋଲାଯିବାର ପରମ୍ପରା ରହିଛି। ସେ ଶ୍ଲୋକଟି ହେଉଛି ‘ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ବତୀ, ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ’। ଏହି ଶ୍ଲୋକ ମାଧ୍ୟମରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ତଥା ଜନମାନସରେ ନଦୀ କିଭଳି ଜଡ଼ିତ ହୋଇପାରିଛି ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share