ଲାହୋର,୧୭।୨ : ପାକିସ୍ତାନର ରାବି ନଦୀ ପୃଥିବୀର ସର୍ବାଧିକ ପ୍ରଦୂଷିତ। ୨୦୨୨ ପ୍ରଦୂଷିତ ନଦୀ ତାଲିକାରେ ରାବି ନଦୀ ଶୀର୍ଷରେ ରହିଛି। ରାବି ନଦୀର ପାଣିରେ ଅଧିକାଂଶ ବିପଜ୍ଜନକ ବ୍ୟାକ୍ଟେରିଆ ମିଳିଛି। ପୃଥିବୀର ସବୁଠାରୁ ପ୍ରଦୂଷିତ ନଦୀ ତାଲିକାରେ ଲାଟିନ ଆମେରିକୀୟ ଦେଶ ବଲିଭିଆର ଲା ପାଜ ନଦୀ ଦ୍ୱିତୀୟ ସ୍ଥାନରେ ଏବଂ ଆଫ୍ରିକୀୟ ଦେଶ ଇଥୋପିଆର ଆଡିସ ଆବ୍ବା ନଦୀ ପ୍ରଣାଳୀ ତୃତୀୟ ସ୍ଥାନରେ ରହିଛି।
ୟର୍କ ୟୁନିଭରସିଟିର ନଦୀ ପ୍ରଦୂଷଣ ଅଧ୍ୟୟନର ଅନୁସନ୍ଧାନକାରୀ ଦଳ ମଧ୍ୟ ରାବି ନଦୀ କୂଳରେ ପ୍ରଦୂଷଣର ମାତ୍ରାକୁ ଦୃଷ୍ଟିରେ ରଖି ଏହାର କୂଳରେ ରହୁଥିବା ଜନସଂଖ୍ୟା ପାଇଁ ଗୁରୁତର ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। ବାଂଲାଦେଶରେ ମଧ୍ୟ ନଦୀଗୁଡ଼ିକରେ ପ୍ରଦୂଷଣର ମାତ୍ରା ଆବଶ୍ୟକ ମାନକଠାରୁ ଅନେକ ଗୁଣ ଅଧିକ ବୋଲି ଜଣାପଡିଛି।
ୟର୍କ ୟୁନିଭରସିଟିର ଗବେଷକ ସମସ୍ତ ମହାଦେଶର ୧୦୪ ଟି ଦେଶର ୨୫୮ ଟି ସ୍ଥାନରୁ୧,୦୫୨ ନମୁନା ବିଶ୍ଳେଷଣ କରି ପାରାସିଟାମୋଲ, ନିକୋଟିନ, କ୍ୟାଫେନ, ଏବଂ ଅପସ୍ମାର ଏବଂ ମଧୁମେହର କେତେକ ମିଶ୍ରିତ ଅଂଶ ଚିହ୍ନଟ କରିଛନ୍ତିି ବୋଲି ଡନ ଖବରକାଗଜରେ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ଅନୁଯାୟୀ, ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରରେ ପ୍ରବାହିତ ରାବି ନଦୀରେ ଲିଟର ପିଛା ହାରାହାରି ୭୦.୮ ମାଇକ୍ରୋଗ୍ରାମ ପ୍ରଦୁଷିତ ପ୍ରଦାର୍ଥ ମିଳିଛି। ଗୋଟିଏ ନମୁନା ପରୀକ୍ଷାରେ ଏହି ସ୍ତର ଲିଟର ପିଛା ୧୮୯ ମାଇକ୍ରୋଗ୍ରାମ୍ରେ ପହଞ୍ଚିଛି।
ପ୍ରଦୂଷଣ ଦୃଷ୍ଟିରୁ ବଲିଭିଆର ଲା ପାଜ ନଦୀ ଦ୍ୱିତୀୟ ସ୍ଥାନରେ ଅଛି। ଏହାର ଜଳରେ ଏହି ଲିଟର ପିଛା ହାରାହାରି ୬୮.୯ ମାଇକ୍ରୋଗ୍ରାମ ପ୍ରଦୂଷିତ ତତ୍ତ୍ୱ ରହିଛି। ଇଥୋପିଆର ରାଜଧାନୀରେ ପ୍ରବାହିତ ଆଡିସ ଆବ୍ବା ନଦୀ ପ୍ରଣାଳୀରେ ଏହି ପ୍ରଦୂଷିତ ପଦାର୍ଥର ମାତ୍ରା ଲିଟର ପିଛା ୫୧.୩ ମାଇକ୍ରୋଗ୍ରାମ ରହିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ବଳ୍ପ ଏବଂ ମଧ୍ୟମ ଆୟ ଦେଶରେ ନଦୀଗୁଡିକର ଅବସ୍ଥା ଅତ୍ୟନ୍ତ ଖରାପ ଅଟେ। ସହରାଞ୍ଚଳରେ ନଦୀ କୂଳରେ ଅଳିଆ ପକାଇବା, ଜଳ ବିଶୋଧନାଗାରର ଅଭାବ, ସ୍ବିରେଜ ଜଳ ନଦୀରେ ପଡିବା ଭଳି ସମସ୍ୟା ଦେଖିବାକୁ ମିଳିଛି।