ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ ଅନ୍ତର୍ଜାତୀୟ ନଦୀ ଦିବସ (ଇଣ୍ଟରନ୍ୟାଶନାଲ ଡେ ଅଫ୍ ଆକ୍ସନ୍ ଫର୍ ରିଭର୍ସ) ପାଳନ କରାଯାଇଥାଏ। ନଦୀଗୁଡ଼ିକର ମହତ୍ତ୍ୱ ବିଷୟରେ ସଚେତନ ହୋଇ ଏସବୁର ସଂରକ୍ଷଣ ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଏହି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଅବଗତ କରାଯାଇଥାଏ। ପ୍ରତିଦିନ ଦୁଇଲକ୍ଷ ଟନ ସ୍ବେରେଜ, ଶିଳ୍ପ ଏବଂ କୃଷି ବର୍ଜ୍ୟବସ୍ତୁ ପୃଥିବୀର ବିଭିନ୍ନ ନଦୀଜଳରେ ମିଶି ଥାଏ। ଏହା ସମଗ୍ର ମାନବ ଜନସଂଖ୍ୟାର ୬.୮ ବିଲିୟନ ଲୋକଙ୍କ ଓଜନ ସହିତ ସମାନ। ଏହି କାରଣରୁ ମାନବଜାତିର ମଙ୍ଗଳ ପାଇଁ ନଦୀଗୁଡ଼ିକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ଏହି ଦିବସରେ ନଦୀ ପରିଚାଳନା, ନଦୀ ପ୍ରଦୂଷଣ, ନଦୀ ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପୃଥିବୀର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ। ୧୯୯୫ ସେପ୍ଟେମ୍ବରରେ, ଅନ୍ତର୍ଜାତୀୟ ନଦୀ ନେଟୱର୍କ ଭାରତର ନର୍ମଦା ବଞ୍ଚାଅ ଆନ୍ଦୋଳନ, ଚିଲିକାର ବାୟୋବିଓ ଆକ୍ସନ ଗ୍ରୁପ୍ ଏବଂ ୟୁରୋପୀୟ ରିଭର ନେଟୱର୍କ ସମେତ ଅନେକ ସଂଗଠନ ଏକତ୍ରିତ ହୋଇ ବ୍ରାଜିଲରେ ଏକ ବୈଠକ କରିଥିଲେ। ଫଳସ୍ବରୂପ, ସେମାନେ ଏକ ଅନ୍ତର୍ଜାତୀୟ ଆୟୋଜନ କମିଟି ଗଠନ କଲେ, ଯାହା ବ୍ରାଜିଲର ମୁଭ୍ମେଣ୍ଟ ଅଫ ପିପୁଲ୍ସ ଦ୍ୱାରା ପରିଚାଳିତ ହୋଇଥିଲା।
ମାର୍ଚ୍ଚ ୧୯୯୭ରେ ବ୍ରାଜିଲର କୁରିଟିବାରେ ଡ୍ୟାମ୍ ଦ୍ୱାରା ପ୍ରଭାବିତ ଲୋକଙ୍କ ପ୍ରଥମ ଅନ୍ତର୍ଜାତୀୟ ସଭାର ଅଂଶଗ୍ରହଣକାରୀମାନେ ଡ୍ୟାମ୍ ଏବଂ ନଦୀ, ଜଳ ଓ ଜୀବନ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ନଦୀଗୁଡ଼ିକୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କରାଯିବା ସହ ଏଥିରେ ବର୍ଜ୍ୟପଦାର୍ଥ ପକାଇବାକୁ ରୋକିବା ପାଇଁ ଆଇନଗତ ଅଧିକାର ଦିଆଯାଉ ବୋଲି ବୈଠକରେ ଦାବି କରାଯାଇଥିଲା। ନଦୀରେ ବର୍ଜ୍ୟବସ୍ତୁ ନ ପକାଇବା ଏବଂ ଜଳ ନିଷ୍କାସନ ପାଇଁ ଡମ୍ପିଂ ସାଇଟ କରିବା ନେଇ ସଚେତନତା ସୃଷ୍ଟି କରିବା। ଏ ସମ୍ପର୍କିତ ବାର୍ତ୍ତା ବିସ୍ତାର କରିବା କ୍ଷେତ୍ରରେ ପରିବେଶ ଉତ୍ସାହୀମାନେ ଏହି ଦିନଟି ପାଳନ କରିବା ସହିତ କର୍ମଶାଳା, ସେମିନାର ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।