Categories: ଜାତୀୟ

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା। ନଦୀ ନିକଟରେ ରହୁଥିବା ଉଲହାସନଗର ଏବଂ ଅମ୍ବରନାଥ ଟାଉନଶିପ୍‌ର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଭାଲଧୁନି ନଦୀରେ ବିଷାକ୍ତ ରାୟାସନିକ ପଦାର୍ଥ ମିଶାଯାଉଛି, ଯାହା କେବଳ ଜଳକୁ ଲାଲ୍‌ କରିନାହିଁ, ବରଂ ଲୋକଙ୍କ ଜୀବନ ପାଇଁ ମଧ୍ୟ କାଳ ସାଜିଛି।
ରାଜ୍ୟ ପ୍ରଦୂଷଣ ବୋର୍ଡ (ଏମ୍‌ପିସିବି)ରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ଏବଂ ପୌରପାଳିକା ଅଧିକାରୀମାନେ କର୍ଣ୍ଣପାତ କଲେ ନାହିଁ। ଟାଉନଶିପ୍‌ ଦେଇ ଯାଇଥିବା ନଦୀରେ ବିଶୋଧିତ ଶିଳ୍ପର ବର୍ଜ୍ୟବସ୍ତୁଗୁଡ଼ିକ ଫିଙ୍ଗାଯାଉଛି। ତେଣୁ ଏପରି କିଏ କରୁଛି ଏ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ଉଲହସନଗରର କାଉନସିଲର।
ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବରରେ ସେହି ନଦୀ ଚତୁଃପାର୍ଶ୍ୱରେ ରହୁଥିବା ୬୦୦ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନଦୀକୂଳିଆବାସୀଙ୍କୁ ବାନ୍ତି ଲାଗିବା ସହ ଅଶାନ୍ତ ଅନୁଭବ କରୁଥିଲେ। ଏପରିକି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସେହି ସମୟରେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।
କାଉନସିଲର କହିଛନ୍ତି, କିଛି ଲୋକ ବର୍ତ୍ତମାନ ନଦୀରେ ବର୍ଜ୍ୟବସ୍ତୁ ଫିଙ୍ଗିବାସହ ବିପଜ୍ଜନକ ରାସାୟନିକ ପଦାର୍ଥ ପକାଉଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଆଖି ଜଳପୋଡ଼ା ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ବାନ୍ତି ଲାଗିବା ଆଦି ସମସ୍ୟା ଦେଖାଦେଇଛି। ତେଣୁ ଦୋଷୀଙ୍କୁ ଧରିବା ପାଇଁ ଏପରି ପୁରସ୍କାର ଘୋଷଣା କରାଯାଇଛି।

Share