Categories: ଜାତୀୟ

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପାଣିରେ ବିଷାକ୍ତ ଦ୍ରବୀଭୂତ ପଦାର୍ଥ(ଟିଡିଏସ୍‌)ର ପରିମାଣ ବୃଦ୍ଧି ହେତୁ ନଦୀରେ ଜଳ କଳା ହୋଇଯାଇଛି। ନଦୀ ନିକଟରେ ଥିବା ସେପ୍ପା ଅଞ୍ଚଳରେ ରହୁଥିବା ଲୋକମାନେ ଏଥିପାଇଁ ଚାଇନାକୁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଚାଇନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନଦୀର ଜଳ ଦୂଷିତ ହେବାରେ ଲାଗିଛି।

ସୁରକ୍ଷା ଦୃଷ୍ଟିରୁ କିଛି ଦିନ ନଦୀରୁ ମାଛ ନ ଖାଇବାକୁ ଏବଂ ଧରିବାକୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଜିଲା ମତ୍ସ୍ୟ ବିକାଶ ଅଧିକାରୀ (ଡିଏଫ୍‌ଡିଓ) ହାଲି ତାଜୋ କହିଛନ୍ତି ଯେ ଶୁକ୍ରବାର ଦିନ ଜିଲା ମୁଖ୍ୟାଳୟର ସେପ୍ପା ଠାରେ ନଦୀରେ ଶହ ଶହ ମାଛ ମରି ଭାସୁଥିବାରୁ ଦେଖାଯାଇଛି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମୃତ୍ୟୁର କାରଣ ଅଧିକ ପରିମାଣର ଟିଡିଏସ୍‌ ବୋଲି ଜଣାପଡ଼ିଛି। ଫଳରେ ଜଳଜୀବମାନେ ଦେଖିବାରେ ଏବଂ ନିଶ୍ୱାସ ନେବାକୁ ସକ୍ଷମ ହେଉ ନାହାନ୍ତି।

ସେ ଏକ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ନଦୀରେ ଥିବା ଟିଡିଏସ ଲିଟର ପିଛା ୬,୮୦୦ ମିଲିଗ୍ରାମ୍‌ ରହିଛି। ଯାହା ଲିଟର ପିଛା ସାଧାରଣ ସୀମା ୩୦୦-୧,୨୦୦ ମିଲିିଗ୍ରାମ୍‌ ଠାରୁ ବହୁତ ଅଧିକ। ତେଣୁ ନଦୀରୁ ମାଛ ନ ଖାଇବାକୁ ସେ କହିଛନ୍ତି। ଏଭଳି ମାଛ ଖାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ପୂର୍ବ କାମେଙ୍ଗ ଜିଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ନଦୀରୁ ମାଛ ନ ଧରିବାକୁ କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୃତ ମାଛ ଖାଇବା ଏବଂ ବିକ୍ରୟଠାରୁ ଦୂରେଇ ରହିବାକୁ ପ୍ରଶାସନ କହିଛି। କାମେଙ୍ଗ ନଦୀ ଜଳର ରଙ୍ଗ ହଠାତ୍‌ ପରିବର୍ତ୍ତନ ଏବଂ ବହୁ ସଂଖ୍ୟାରେ ମାଛ ମରିବା ଘଟଣାର କାରଣ ଜାଣିବା ପାଇଁ ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରିବାକୁ ସେପ୍ପାର ପୂର୍ବତନ ବିଧାୟକ ତପୁକ ଟାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ପୂର୍ବ ସିଆଙ୍ଗ ଜିଲାର ପାସିଘାଟରେ ଥିବା ସିଆଙ୍ଗ ନଦୀ ଜଳ ନଭେମ୍ବର ୨୦୧୭ରେ କଳା ହୋଇଯାଇଥିଲା। ଅରୁଣାଚଳ ପୂର୍ବାଞ୍ଚଳର ତତ୍କାଳୀନ କଂଗ୍ରେସ ସାଂସଦ ନିନୋଙ୍ଗ ଏରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେ କହଥିଲେ ଯେ ଚାଇନାରେ୧୦,୦୦୦ କିଲୋମିଟର ଲମ୍ବର ଟନେଲ ନିର୍ମାଣ ଯୋଗୁ ଏପରି ହେଉଥିବା ସେ କହିଥିଲେ। ଏହା ଯୋଗୁ ସିଆଙ୍ଗରୁ ଜିନଜିଆଙ୍ଗ ପ୍ରଦେଶ ନଦୀର ଧାରାକୁ ମୋଡ଼ି ଦିଆଯାଇ ଥିବା ସେ ଅଭିଯୋଗ କରିଥିଲେ। ତେବେ ସେତେବେଳେ ଚାଇନା ଏହି ଅଭିଯୋଗକୁ ଅସ୍ବୀକାର କରିଥିଲା।

Share