ନଦୀକୂଳିଆଙ୍କ ମନରେ ଛନକା

ରସୁଲପୁର,୪ା୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକର ୨୮ ପଞ୍ଚାୟତକୁ ବ୍ରାହ୍ମଣୀ ଓ ତା’ର ଶାଖା ନଦୀ ଖରସ୍ରୋତା ଘେରିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ଖରସ୍ରୋତାରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଉଭୟ ନଦୀ ପଠାରେ ଥିବା ଚାଷ ଜମିରେ ବନ୍ୟାଜଳ ମାଡ଼ିଯାଇଛି। ଏଭଳି ସ୍ଥିତିରେ ରସୁଲପୁର ବ୍ଲକର ବ୍ରାହ୍ମଣୀ ନଦୀ ଅବବାହିକାରେ ଅବସ୍ଥିତ କଲଣ, ଜାବରା, ସିଂହାପୁର, ବାରବାଟୀ, ପ୍ରଥମାଖଣ୍ଡି, ଅତଲାପୁର, ରାଜେନ୍ଦ୍ରପୁର, ସାମନ୍ତରାପୁର, ମଙ୍ଗରାଜପୁର, ବନ୍ଧଡିହ ଓ ଖରସ୍ରୋତା ନଦୀ ପଠାରେ ଅବସ୍ଥିତ ଶ୍ରୀବନ୍ତପୁର, ଟିକରପଡ଼ା, ଗନ୍ଧଣ, ଭୋଟକା, ରସୁଲପୁର, ବାହାଦଲାପୁର ଓ ନରସିଂହପୁର ଆଦି ୧୭ ପଞ୍ଚାୟତର ପ୍ରାୟ ୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପରିବା ଓ ଧାନ କ୍ଷେତରେ ପାଣି ମାଡ଼ିଯାଇଛି। ନଦୀକୂଳିଆବାସୀଙ୍କ ମନରେ ଛନକା ପଶିଛି।
ସାଧାରଣତଃ ଖରିଫ ଋତୁରେ ନଦୀପଠାରେ ଅଧିକ ପନିପରିବା ଚାଷ ହୋଇଥାଏ। ବନ୍ୟାଜଳ ମାଡ଼ିଯିବା ଯୋଗୁ ପନିପରିବା ଫସଲ ଅଧିକ ପ୍ରଭାବିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବନ୍ୟା ପରବର୍ତ୍ତୀ ଅବସ୍ଥାରେ ପରିବା ଦର ଆହୁରି ବଢ଼ିବ ବୋଲି କୁହାଯାଉଛି। ଟିକରପଡ଼ା ପଞ୍ଚାୟତ ନଦୀପଠାରେ ବସବାସ କରୁଥିବା କୁଜିବର ଗ୍ରାମର ବାସେଳିସାହି ବନ୍ୟାଜଳ ଘେରରେ ରହିଛି। ବାହାଦଲାପୁର ପଞ୍ଚାୟତର ସରିଫାବାଦ ଗ୍ରାମରେ ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ପ୍ରବେଶ କରିଛି। ବାସେଳି ସାହିକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ୩ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ଅତଲାପୁର ପଞ୍ଚାୟତର ଗଣେଶ ପାଟଣା, ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପାଟଣା, ପହଁଗା ପଞ୍ଚାୟତର ଯୋକଡ଼ିଆ, ବନ୍ଧଡିହ ଓ ସାମନ୍ତରାପୁର ପଞ୍ଚାୟତ ଆଦିରେ ଥିବା ଘେରିବନ୍ଧ ଉବୁଟୁବୁ ହେବାକୁ ବସିଲାଣି। ରାତିରେ ନଦୀର ଜଳସ୍ତର ବଢ଼ିଲେ ଘେରିବନ୍ଧ ବୁଡ଼ି ଗାଁରେ ପାଣି ପଶିଯିବ। ଏହାକୁ ନେଇ ଘେରିବନ୍ଧ ମଧ୍ୟରେ ଥିବା ଜନବସତି ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ତୀକ୍ଷ୍ନ ଦୃଷ୍ଟି ଦିଆଯାଇଛି।
ରେଙ୍ଗାଲି ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ସମ୍ଭାବନା କମ୍‌ଥିବାରୁ ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିବ ବୋଲି ପ୍ରଶାସନିକସ୍ତରରେ ଆକଳନ କରାଯାଉଛି। ତଥାପି ବିପଦ ଟଳି ନାହିଁ, ଡ୍ୟାମର ତଳିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି। ଏବେ ନଦୀର ଜଳସ୍ତର ସ୍ଥିର ରହିଛି। ଏହାଉପରେ ଆହୁରି ୧ ଫୁଟ୍‌ ଜଳସ୍ତର ବଢ଼ିବ ବୋଲି ପ୍ରଶାସନ ଆକଳନ କରୁଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧର ଦୁର୍ବଳସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ତା’ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ରସୁଲପୁର ବିଡିଓ ଅବନିକାନ୍ତ ସାହୁଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରାହ୍ମଣୀ ଓ ତା’ର ଶାଖା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବା ସମ୍ଭାବନା କମ୍‌ ବୋଲି ବିଡିଓ ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ବ୍ଲକରେ ୨୪ଘଣ୍ଟଆ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ପ୍ରତି ଘଣ୍ଟାରେ ନଦୀକୂଳିଆ ପଞ୍ଚାୟତର ବନ୍ୟା ସ୍ଥିତି ସମୀକ୍ଷା କରାଯାଉଛି।