ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ପାଉଁଶ ସିଧାସଳଖ ପାଣିରେ ମିଶିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ସର୍ଭେ କରୁଥିବା ବିଭିନ୍ନ ସଂସ୍ଥା ଓ ପରିବେଶବିତ୍ ଅଭିଯୋଗ କରିଆସୁଛନ୍ତି। ହେଲେ ସରକାରୀ ସ୍ତରରେ ମହାନଦୀ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏବେ ପ୍ରଦୂଷିତ ଓ ଅସୁରକ୍ଷିତ ହୋଇପଡିଛି ା
ସମ୍ବଲପୁର ସହର ଦେଇ ପ୍ରବାହିତ ହେଉଥିବା ନଦୀକୁ ଦେଖିଲେ ସହଜରେ ଅନୁମେୟ କରି ହେଉଛି। ମହାନଦୀ ସୁରକ୍ଷା ନେଇ ଯୋଜନା କରାଯାଇଛି। ଗ୍ରୀନ ମହାନଦୀ ଯୋଜନାରେ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ହେଲେ ବର୍ଷ ବର୍ଷ ବିତିଯିବା ସତ୍ତ୍ବେ ମହାନଦୀ ପ୍ରଦୂଷଣ ମୁକ୍ତ ହୋଇନାହିଁ। ମହାନଦୀ ଶଯ୍ୟା ଅନାବନା ଗଛଲଟାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ଚର୍ମ ରୋଗର ଶିକାର ହେଉଛନ୍ତି। ପ୍ରତିବର୍ଷ ଗ୍ରୀଷ୍ମ ମାସ ଆସିଲେ ପ୍ରଶାସନର ମହାନଦୀ ସୁରକ୍ଷା ପାଇଁ ଚେତା ପଶିଥାଏ। ଏ ନେଇ ସଚେତନତା ଓ ମିନି ମାରାଥନ କରାଯାଇଥାଏ। ପୂର୍ବରୁ ମହାନଦୀ ପାଣି ସ୍ବଚ୍ଛ ଓ ନିର୍ମଳ ଥିଲା। ଏହାକୁ ନେଇ ସମ୍ବଲପୁରୀ ଲୋକଗୀତ ‘କଟଙ୍ଗ ପାଉଁଶ ପୁଲାରେ ମୋର ଧନ୍ କଟଙ୍ଗ ପାଉଁଶ ପୁଲା, ମହାନଦୀର ପାନି ମାରୁଛେ ହୁଲା’ ରହିଥିଲା। ସମ୍ପ୍ରତି ମହାନଦୀ କୂଳରେ କଟଙ୍ଗ ବାଉଁଶ ନାହିଁ। ଏହା ରିଂ-ରୋଡ୍ରେ ପରିଣତ ହୋଇଛି। ମହାନଦୀରେ ଲହଡି ମଧ୍ୟ ଦେଖିବାକୁ ମିଳୁନାହିଁ। ମହାନଦୀ ପ୍ରଦୂଷଣ ଯୋଗୁ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, ସ୍ଥାନୀୟ ଲୋକ ଆର୍ଥତ୍କ ଓ ସାମାଜିକ ଦୃଷ୍ଟିରୁ ପ୍ରଭାବିତ ହେଉଛନ୍ତି। ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପରୋକ୍ଷ ଭାବେ ପ୍ରଭାବ ପକାଉଛି। ଏବେ ସବୁଠାରୁ ବଡ ସମସ୍ୟା ହୋଇଛି ମହାନଦୀ ଜଳ ପରିଚାଳନା। ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ହୋଇ ଟ୍ରିବ୍ୟୁନାଲ ଗଠନ ହୋଇଛି। ସମୟ ପୂର୍ବରୁ ଏ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏହା ଭୟାନକ ରୂପ ନେବ ବୋଲି ପରିବେଶବିତ୍ ଆଶଙ୍କା କରୁଛନ୍ତି ା