ନଦୀବନ୍ଧ ଖୋଳି ଛାଡ଼ିଦେଲେ, ଲୋକେ ଭୟଭୀତ

ସିଂହପୁର,୨୧ା୭(ଡି.ଏନ.ଏ.): ବିଞ୍ଝାରପୁର ଜଳସମ୍ପଦ ବିଭାଗର ଖରସ୍ରୋତା ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ତେବେ ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ ଆଣି ନଦୀବନ୍ଧ ପଠାରୁ ଆଣୁଥିବାରୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷେ ଓଳେଇ ଚନ୍ଦନପୁର ଗ୍ରାମ ନିକଟରେ ପ୍ରଶସ୍ତୀକରଣ କାର୍ଯ୍ୟରେ ନଦୀବନ୍ଧକୁ ଖୋଳିଥିଲେ ମଧ୍ୟ ସେହି ସ୍ଥାନରେ କାର୍ଯ୍ୟ କରାଯାଉ ନ ଥିବାରୁ ବନ୍ଧଟି ମୁକୁଳା ପଡିଛି। କିଛିଦିନ ହେଲା ବର୍ଷା ଲାଗିରହିଥିବାରୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଯଦି ନଦୀରେ ବନ୍ୟାଜଳ ପ୍ରବେଶ କରେ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ। ଏହାକୁ ନେଇ ନଦୀକୁଳିଆ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି। ଠିକାଦାରଙ୍କ ଏପରି ବେପରୁଆ ମନଭାବ କାର୍ଯ୍ୟ ଲୋକଙ୍କ ପାଇଁ କାଳ ସାଜିବ। ତେଣୁ ଏଥିପ୍ରତି ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଉଚ୍ଚ କର୍ତ୍ତପକ୍ଷ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

Share