କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ ବୁଧବାର ଅଭିନେତ୍ରୀ ମୁମ୍ବାଇ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା ବେଳେକୁ ବିଏମ୍‌ସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ଭଙ୍ଗା ଯାଉଥିଲା । ଏହାକୁ ଦେଖି କଙ୍ଗନା ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏବେ କଙ୍ଗନା ଏହି ଘଟଣାକୁ ନେଇ ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ତାଙ୍କ ଓକିଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି କଙ୍ଗନାଙ୍କର ଯେଉଁ କାର୍ଯ୍ୟାଳୟକୁ ବିଏମ୍‌ସି ଭାଙ୍ଗିଛି ଏଥିରେ ତାଙ୍କର ୨ କୋଟି ଟଙ୍କା କ୍ଷତି ହୋଇଛି । ଏହାକୁ ନେଇ ଅଭିନେତ୍ରୀ ଆଫିଡେଭିଟ ଦାଖଲ କରିଛନ୍ତି । ଏହାପରେ ସେ ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବୋଲି ତାଙ୍କ ଓକିଲ କହିଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର କଙ୍ଗନାଙ୍କୁ ଯେଉଁଭଳି ଭାବେ ବିରୋଧ କରିଛନ୍ତି ଏହା ବିରୋଧରେ ନିଜର ମତ ରଖିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ କହିଛନ୍ତି କଙ୍ଗନା ହିମାଚଳର ଝିଅ ତାଙ୍କ ପ୍ରତି ହେଉଥିବା ଅପମାନ ସହ୍ୟ କରାଯିବନାହିଁ । ଏବେ ଏହି ଘଟଣା ରାଜନୈତିକ ରୂପ ନେଲାଣି ।

Share