Categories: ଜାତୀୟ

ପୁରୁଣା ଫର୍ମକୁ ଫେରିଲେ ଲାଲୁ

ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ ଲାଲୁ ଯାଦବ ଫୁରୁଣା ଫର୍ମରେ ନଜର ଆସିଛନ୍ତି। ବିହାରରେ କଂଗ୍ରେସ ସହ ଦଳର ମେଣ୍ଟ ଭାଙ୍ଗିଥିବା ପ୍ରଶ୍ନ ଉପରେ ଲାଲୁ ଯାଦବ କଡ଼ା ଶବ୍ଦରେ କହିଛନ୍ତି ଯେ କଂଗ୍ରେସ ସହ ମହାମେଣ୍ଟ କ’ଣ? ଆମେ ସବୁକିଛି କଂଗ୍ରେସକୁ ଛାଡିଥାନ୍ତୁ କି? ବିହାରର ଦୁଇଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ସଂପର୍କରେ ଲାଲୁ ଯାଦବ ତିନି ବର୍ଷ ପରେ ବିହାରରେ ପହଞ୍ଚିଛନ୍ତି। ଅନୁମାନ କରାଯାଉଛି ଯେ ଲାଲୁ କୁଶେଶ୍ୱରସ୍ତାନ ଏବଂ ତାରାପୁରରେ ଆରଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ବିହାର କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଆରଜେଡି ଉପରେ ଏକ ବଡ଼ ମନ୍ତବ୍ୟ କରିଥିଲେ। ସେ କହିଥିଲେ ପରଦା ପଛରୁ ଆରଜେଡି ଭାଜପା ସହ ମିଶିଛି। କଂଗ୍ରେସ ଆଉ ବିହାରରେ ମହାମେଣ୍ଟର ଅଂଶ ନୁହେଁ। ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୦ଟି ଆସନରେ ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବ।
ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରେ ଲାଲୁ ଯାଦବ ଦିଲ୍ଲୀରୁ ପାଟନା ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ପାଟନା ବିମାନବନ୍ଦରରେ ଆରଜେଡି କର୍ମୀମାନେ ସ୍ବାଗତ କରିବେ। ଦୁଇଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ ଲାଲୁ ଯାଦବ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି। ତେବେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯିବା ନେଇ ସନ୍ଦେହ ରହିଛି। ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟରେ ନିଶ୍ଚିତ ଭାବରେ ଉନ୍ନତି ହୋଇଛି, କିନ୍ତୁ ସେ ପହଞ୍ଚିବା ପରେ ଡାକ୍ତରଙ୍କ ପରାମର୍ଶରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ।
ଚାରା ଦୁର୍ନୀତି ମାମଲାରେ ରାଞ୍ଚି ଜେଲରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବଙ୍କୁ ଚଳିତ ବର୍ଷ ଏପ୍ରିଲରେ ଜାମିନ ମିଳିଛି। ଉଚ୍ଚ ରକ୍ତଚାପ, ସୁଗାର ସମେତ ଅନ୍ୟାନ୍ୟ ସମସ୍ୟା ହେତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ।

Share