Categories: ଜାତୀୟ

ଲାଲୁଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ଆରଜେଡି

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଓ ବିହାର ସରକାର ମିଳିତ ଭାବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଆରଜେଡି ମୁଖପାତ୍ର ତଥା ବିଧାୟକ ଭାଇ ବିରେନ୍ଦ୍ର ଅଭିଯୋଗ କରିଛନ୍ତି। ସେମାନେ ଲାଲୁଙ୍କ ଚିକିତ୍ସା ନ ହେଉ ବୋଲି ଚାହୁଁଛନ୍ତି। ତେଣୁ ଦିଲ୍ଲୀ ଏମ୍ସ ତାଙ୍କୁ ଚିକିତ୍ସା କରିବା ଲାଗି ମନା କରିଦେଇଥିବା ବିରେନ୍ଦ୍ର କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଏହା ସରକାରଙ୍କ ବହୁତ ବଡ଼ ଭୁଲ। ବିହାର ଓ କେନ୍ଦ୍ର ସରକାର ଲାଲୁଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଜନସାଧାରଣ ତାଙ୍କୁ ଏହି କାମ ପାଇଁ କେବେ କ୍ଷମା କରିବେ ନାହିଁ ବୋଲି ବିରେନ୍ଦ୍ର କହିଛନ୍ତି। ବର୍ତ୍ତମାନ ଲାଲୁ ଯାଦବ ଅସୁସ୍ଥ ଅଛନ୍ତି। ତାଙ୍କର କିଡନୀ କାମ କରୁନାହିଁ ବୋଲି ବିରେନ୍ଦ୍ର କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ହଠାତ୍‌ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ବିମାନବନ୍ଦରରୁ ସିଧାସଳଖ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଏମ୍ସର ଜରୁରୀକାଳୀନ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ବତ୍ତର୍ମାନ ତାଙ୍କର ଚିକିତ୍ସା ଚାଲୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବାନୁସାରେ ଲାଲୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ବିଭିନ୍ନ ପ୍ରକାରର କିଡନୀ ସମସ୍ୟା, ଦାନ୍ତ ସମସ୍ୟା, ଡାହାଣ କାନ୍ଧର ହାଡ଼ ସମସ୍ୟା, ପାଦ ହାଡ଼ ସମସ୍ୟା ଓ ଆଖି ସମସ୍ୟାରେ ପୀଡ଼ିତ ଅଛନ୍ତି।

Share