Categories: ଜାତୀୟ

ଆର୍‌ଜେଡ଼ିରୁ କଟିଲା ଟିକଟ: ନେତାଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା, ୧୭।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ୧୫ ବର୍ଷ ଧରି ଆର୍‌ଜେଡ଼ିରେ ଥିବା ନେତା ସୁରେଶ ଯାଦବଙ୍କ ଟିକଟ ଚଳିତ ଥର କଟି ଯାଇଛି। ସେ ରକ୍ସୋଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସୁରେଶଙ୍କ ଟିକଟ କଟା ଯାଇଛି। ମହାମେଣ୍ଟରେ ଆର୍‌ଜେଡ଼ି କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଯୋଗୁ ଚଳିତ ଥର ରକ୍ସୋଲ ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଛି। ଏଠାରେ କଂଗ୍ରେସ ପକ୍ଷରୁ ରାମବାବୁ ଯାଦବଙ୍କୁ ପ୍ରାର୍ଥୀ କରାଯିବାର ଯୋଜନା ରହିଛି। ଏହାକୁ ନେଇ ସୁରେଶ ଏବେ ଅସନ୍ତୁଷ୍ଟ ରହିଛନ୍ତି। ସେ ଅକ୍ଟୋବର ୧୯ରେ ଏହି ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏପରି କହି ସୁରେଶ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ଏବେ ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରେଶଙ୍କ ଯୋଗୁ ଆରଜେଡ଼ିର କ୍ଷତି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share