Categories: ଜାତୀୟ

ଆର୍‌ଜେଡି ୧୪୪ ଆସନରେ ଲଢ଼ିବ

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଏକାକୀ ୧୪୪ ଆସନରେ ଲଢ଼ିବ। ବିରୋଧୀ ମହାମେଣ୍ଟରୁ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୨୪୩ ଆସନରୁ କଂଗ୍ରେସ ୭୦, ବାମଦଳ ୨୯ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ଜେଏମ୍‌ଏମ୍‌ ଆର୍‌ଜେଡି କୋଟାରୁ କେତୋଟି ଆସନ ନେବ ବୋଲି ପ୍ରକାଶ କରାଯାଇଛି। ଗୁରୁବାରଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବାବେଳେ ଶନିବାର ମହାମେଣ୍ଟରେ ଆସନ ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି।
ଅକ୍ଟୋବର ୮ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ଆସନ ଭାଗବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶକରିବା ସହ ଛୋଟ ଦଳ ‘ଭିଆଇପି ପାର୍ଟି’ର ନେତା ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଭୋଟ ୨୮ତାରିଖରେ ହେବାକୁ ଥିବାବେଳେ ୭୧ ଆସନରେ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୩ ଓ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ନଭେମ୍ବର ୭ରେ କରାଯିବ। ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ।
ଏନ୍‌ଡିଏ ପକ୍ଷରୁ ଏପର୍ଯ୍ୟନ୍ତ ଆସନ ବୁଝାମଣା ଚୂଡ଼ାନ୍ତ ହୋଇ ନ ଥିବାବେଳେ ଖୁବ୍‌ଶୀଘ୍ର ଏହିକାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଇଛି। କୃଷି ଆଇନ, ପ୍ରବାସୀ ଶ୍ରମିକ, କରୋନା ପରିଚାଳନା, ବନ୍ୟାରେ ବିଫଳତା ଆଦିକୁ ବିରୋଧୀ ମହାମେଣ୍ଟ ପ୍ରସଙ୍ଗ କରି ଜନମତ ଲୋଡ଼ୁଥିବା ଜଣାପଡ଼ିଛି।

Share