Categories: ଜାତୀୟ

ମୁମ୍ବାଇର ‘ଇଣ୍ଡିଆ’ ବୈଠକରେ ଯୋଗଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୮: ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ ଯାଉଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଦଳ ସାମିଲ ହେବେ। ତେବେ ରାଜ୍ୟ ସଭାରେ ଦିଲ୍ଲୀ ସର୍ଭିସ ବିଲକୁ ନେଇ ହୋଇଥିବା ଭୋଟିଂରୁ ଦୂରେଇ ରହିବା ପରେ ଅନୁମାନ କରାଯାଉଥିଲା କି ଆରଏଲଡି ଏନଡିଏରେ ସାମିଲ ହୋଇପାରେ।

ଏହି ଘଟଣାର କିଛିଦିନ ପରେ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ୍‌ କରିଥିଲେ। ଏହାପରେ ଅନୁମାନ କରାଯାଉଥିଲା କି ଆସନ୍ତା ନିର୍ବାଚନରେ ଆରଏଲଡି ଏନଡିଏ ମେଣ୍ଟର ହାତ ଧରିପାରେ, ହେଲେ ଏବେ ଦଳ ଏହାକୁ ଖାରଜ କରି ଦେଇଛି।
ଆରଏଲଡିର ଜାତୀୟ ମୁଖପାତ୍ର ଅନିଲ ଦୁବେ କହିଛନ୍ତି ଯେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ବୈଠକରେ ଆମର ନେତାମାନେ ଅଂଶଗ୍ରହଣ କରିବେ। ଆମେ ବିରୋଧୀ ଦଳର ଏକ ଅଂଶ ଏବଂ ଭାଜପା ସହ ଆମର ଯୋଗଦାନ ବିଷୟରେ କଳ୍ପନାଜଳ୍ପନା ସତ୍ୟଠାରୁ ବହୁ ଦୂରରେ। ଦ୍ୱନ୍ଦ୍ୱ ବିସ୍ତାର କରିବାକୁ ଶାସକ ଦଳର ଲୋକମାନେ ଏପରି ଗୁଜବ କରନ୍ତି।
୨୦୨୪ ଲୋକ ସଭା ନିର୍ବାଚନ ପ୍ରସଙ୍ଗରେ ଅନିଲ ଦୁବେ କହିଛନ୍ତି ଯେ ଉତ୍ତରପ୍ରଦେଶର ୮୦ଟି ସଂସଦୀୟ ଆସନ ମଧ୍ୟରୁ ୧୨ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆରଏଲଡି ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ ଆମେ ୧୨ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛୁ, କିନ୍ତୁ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ଆମ ଜାତୀୟ ଅଧ୍ୟକ୍ଷ ନେବେ।

Share