ଧାମରାରେ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

ଭୁବନେଶ୍ୱର,୧୭।୪: କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର (ଧାମରା) କାଣୀନାଳିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଆରଓ-ପ୍ୟାକ୍ସ (ରୋଲ-ଅନ୍‌ ଓ ରୋଲ୍‌ ଅଫ ଯାତ୍ରୀବାହୀ) ଜେଟି ପ୍ରକଳ୍ପ ସହ ଉକ୍ତ ଅଞ୍ଚଳର ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ (ନିବେଶ) କରାଯିବ ବୋଲି ସୂଚନା ମିଳିଛି। ଏହାର ବିକାଶ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଶୁକ୍ରବାର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦କୋଟି ଟଙ୍କାର ବ୍ୟୟ ବରାଦ ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ସେହିଭଳି ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦% ଅର୍ଥ ଓଡ଼ିଶା ସରକାର ବହନ (ଖର୍ଚ୍ଚ) କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଦ୍ୱାରା ଉଭୟ ଭଦ୍ରକ ଓ କେନ୍ଦ୍ରାପଡାର ବିକାଶ ଦ୍ରୁତ ଗତିରେ ତ୍ୱରାନିତ୍ୱ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଦୃଷ୍ଟି ଦେଉଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ଜାହାଜ ଚାଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତା ଶ୍ରୟ, ପାର୍କିଂ ଅଞ୍ଚଳର ବିକାଶ, ନୌବହନ ସହାୟତା ଓ ଖନନ ଭଳି ଭିତ୍ତିଭୂମି ର୍ନିମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଫଳରେ ସ୍ଥାନୀୟ ଅଞ୍ଚଳର ଦୂରତା ସହର ଠାରୁ ବହୁ ପରିମାଣରେ କମିଯିବ ବୋଲି ଜଣାପଡିଛି। ପୂର୍ବରୁ ଯେଉଁ ଦୂରତାକୁ ଅତିକ୍ରମ କରିବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାୟ ୬ ଘଣ୍ଟା ସମୟ ଲାଗୁଥିଲା ଏହି ପ୍ରକଳ୍ପ ଶେଷ ପରେ ତାହା ମାତ୍ର ୧ଘଣ୍ଟାରେ ଅତିକ୍ରମ କରିହେବ ବୋଲି ଜଣାପଡିଛି। ବର୍ତ୍ତମାନ ଘାଟରେ ସବୁଦନିଆ ଆରଓ-ପ୍ୟାକ୍ସ ଜେଟି ର୍ନିମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ଏହାଦ୍ୱାରା ଏକ ସମୟରେ ୧୦ଟି ହାଲୁକା ଯାନ, ୨୦ଟି ଦୁଇ ଚକିଆ ଏବଂ ୬୦ ଜଣ ଯାତ୍ରୀପରିବହନ କରିପାରୁଥିବା ଗାଡି ଚଳାଚଳ କରିପାରିବ। ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି। ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ। ଏହି ଅଞ୍ଚଳରୁ ଧାମାରା ପର୍ଯ୍ୟନ୍ତ ସଡ଼କ ପଥରେ କୌଣସି ଯୋଗାଯୋଗର ବ୍ୟବସ୍ଥା ନଥିବାରୁ ଲୋକମାନେ କାଣୀନାଳି ଏବଂ ତାଳଚୁଆ ଘାଟରୁ ପ୍ରାୟ ୭ କିମି ରାସ୍ତା ଡଙ୍ଗାରେ ପାର ହେବାକୁ ପଡିଥାଏ।

Share