Advertisement

ସାଙ୍ଗ ଆଗରେ ଚାଲିଗଲା ସାଙ୍ଗର ଜୀବନ

ଓଡ଼ଗାଁ,୯।୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ କଲେଜ ରୋଡ଼ରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଫୁଲବାଣୀର ରାଜ କୁମାର ସାହୁ (୨୦)। ଘାସଦେଇପୁରର ଦିପୁନ ପ୍ରଧାନ(୨୦) ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ରାଜ କୁମାର ଓ ଦିପୁନ ଏକ ବାଇକ୍‌ରେ ଘରୋଇ କଲେଜକୁ ଆସୁଥିଲେ। ଓଡ଼ଗାଁ କଲେଜଠାରୁ କିଛି ଦୂରରେ ମାଙ୍କଡ଼ା ପଥର ଅନ୍‌ଲୋଡ କରି ଫେରୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ରାଜ କୁମାର ଓ ଦିପୁନ ଗୁରୁତର ହୋଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ରାଜକୁମାରଙ୍କୁ ମୃତ ଘୋଷଣା କରିଥିଲେ। ଦିପୁନଙ୍କ ଚିକିତ୍ସା ଚାଲିଛି। ପୋଲିସ ଟ୍ରକ ଜବତ କରି ଚାଳକକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share