ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଘଟଣା ଅନୁସାରେ ସିମୁଳିଆ ଗୋବିନ୍ଦପୁରର ଧନେଶ୍ୱର ମିଶ୍ର ତାଙ୍କ ସ୍ତ୍ରୀ ସୁମିତ୍ରାଙ୍କ ସହ ଶ୍ୱଶୁର ଘର ଜଳେଶ୍ୱରକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେରେ ହିଁ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ଧନେଶ୍ୱରଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।