ସଡ଼କ ଦୁର୍ଘଟଣା: ବର୍ଷକରେ ୫୬୦୦ ମୃତ୍ୟୁ

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଓଡ଼ିଶାରେ ୨୦୨୩ରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫୬୦୦ ଜଣଙ୍କ ମୃତ୍ୟୁ ଘଟିଛି, ଯାହାଙ୍କ ମଧ୍ୟରୁ ୭୦% ହେଉଛନ୍ତି ଯୁବବର୍ଗ । ତେଣୁ ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚ ଆଦିଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଡ଼କ ସୁରକ୍ଷା କାଉନସିଲ ବୈଠକ ଗୁରୁବାର ଲୋକସେବା ଭବନ ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ସାହୁ ଏଥିରେ ସଭାପତିତ୍ୱ କରିଥିବାବେଳେ ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ, ପରିବହନ କମିଶନର, ଟ୍ରକ୍‌ ଓ ବସ୍‌ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ, ଆଇନ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ହେଲ୍‌ମେଟ ଆଇନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଡ଼କ ଦୁର୍ଘଟଣା ଯୋଗୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ପୋଲିସ ବହୁ ସମୟରେ ଅସୁବିଧାରେ ପଡୁଛି। ତେଣୁ ପୋଲିସ ମହାନିର୍ଦ୍ଦେଶକ ସମସ୍ତ ଥାନାକୁ ଏ ବାବଦରେ ନିର୍ଦ୍ଦେଶ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଜାତୀୟ ରାଜପଥ ୧୬ ଓ ୩୧୬କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନ୍‌ଏଚ୍‌ଏଆଇ ଅଧିକାରୀମାନେ ଜୁନ୍‌ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ। ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବାରୁ ଉନ୍ନୟନ କମିଶନର ଚିନ୍ତାବ୍ୟକ୍ତ କରିଛନ୍ତି। ସେ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆସନ୍ତା ୩ ମାସରେ ସମସ୍ତ ଏନ୍‌ଏଚ୍‌, ଏସ୍‌ଏଚ୍‌ ସୁରକ୍ଷା ଅଡିଟ ଶେଷ କରାଯିବ। ଅଡିଟ ରିପୋର୍ଟ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ହାଇଓ୍ବେ ପାଟ୍ରୋଲର ଅଧିକାରୀଙ୍କୁ ଧାରା ୧୮୫ ଅନୁଯାୟୀ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କ୍ଷମତା ଦିଆଯିବ। ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଏକୀକୃତ କରାଯିବ। ଏକ ମୋବାଇଲ ଆପ୍ଲିକେଶନ ଦ୍ୱାରା ସମସ୍ତ ଜରୁରିକାଳୀନ ସେବା ଏକୀକୃତ ହେବ। ଫଳରେ ଦୁର୍ଘଟଣା ଘଟିବା ପରେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ସୂଚନା ଯିବ।