ପାଣି ପାଇଁ ରାସ୍ତା ଅବରୋଧ

କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏହା ସତ୍ତ୍ୱେ ଲୋକେ ଲୋକେ ପାଣି ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

କେନ୍ଦୁଝର ସହର ନିକଟ ଗୋବିନ୍ଦପୁର ଓ ବାଂପାର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ପାନୀୟ ଜଳ ଯୋଗାଣ ଦାବିରେ ସୋମବାର କେନ୍ଦୁଝର-ପାଟଣା ରାସ୍ତାରେ ବାଲଟି, ଗରା, ଡେକଚି ରଖି ରାସ୍ତା ଅବରୋଧ କରିଛନ୍ତି।

ଜଳ ଯୋଗାଣ ପାଇଁ ପାଇପ୍‌, ଟ୍ୟାପ ଲାଗିଥିଲେ ହେଁ ପାଣି ଯୋଗାଣ ହେଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସମାଧାନ କରାଯାଉ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ରାସ୍ତା ଅବରୋଧ ଯୋଗୁ ପରୀକ୍ଷାର୍ଥୀମାନେ ମଧ୍ୟ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।