ଦେଶୀମଦ ରନ୍ଧାକୁ ନେଇ ରାସ୍ତାରୋକୋ କଲେ ମହିଳା, ଭାଙ୍ଗିଲେ ଭାଟି

ପାଟଣା,୧୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଡିଆନାଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଶତାଧିକ ମହିଳା ମିଶି ଗାଁରେ ପ୍ରସ୍ତୁତ ହେଉଥିବା ବେଆଇନ ଦେଶୀମହୁଲି ମଦକୁ ଜବତ କରିବା ସହ ଗାଁରେ ବିକ୍ରି ହେଉଥିବା ବିଦେଶୀ ମଦ ବ୍ୟବସାୟକୁ ବନ୍ଦ କରି ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚଥିବା ବେଳେ ଏନେଇ ପାଟଣା ଅବକାରୀ ଥାନାଧିକାରୀ ଦିଲୀପ ତାଣ୍ଡି ପହଞ୍ଚି ନ ଥିବାରୁ ଆନ୍ଦୋଳନ କାରୀମାନେ ଅବକାରୀ ବିଭାଗ ମାସିକିଆ ଚାନ୍ଦା ନେଇ ବେଆଇନ ମଦ ପ୍ରସ୍ତୁତକାରୀଙ୍କୁ ଛାଡ଼ି ଦେଉଛି ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏନେଇ ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କୁ ପଚାରି ବାରୁ ଅଭିଯୋଗ ଆସିଲେ ନିରପେକ୍ଷ ତଦନ୍ତ ହେବ। ଉଭୟ ଦେଶୀ ଓ ବିଦେଶୀ ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share