ପରିବା ଢାଳି ରାସ୍ତା ଅବରୋଧ

ଝାରସୁଗୁଡ଼ା ଅଫିସ,୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ୩ ସପ୍ତାହ ପାଇଁ ଜିଲାର ୭୭ ସାପ୍ତାହିକ ବଜାର ବନ୍ଦ ଘୋଷଣା କରିଛନ୍ତି। ଏହାକୁ ନେଇ ବ୍ୟବସାୟୀ ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଝାରସୁଗୁଡା ବଜାରରେ ଏହାର ପ୍ରତିଫଳନ ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ବଜାର ଝାରସୁଗୁଡ଼ାର ଏକମାତ୍ର ପରିବା ମଣ୍ଡି। ଏଠାରେ ଚାଷୀମାନେ ଦୈନିକ ପରିବା ବିକ୍ରି କରନ୍ତି। ଏହାକୁ ଝାରସୁଗୁଡ଼ା ପୌର ପରିଷଦ ତରଫରୁ ଗତ ଶନିବାରଠାରୁ ବନ୍ଦ କରିଦିଆଯାଇଛି ା ଏହି ମଣ୍ଡି ବ୍ୟବସାୟୀ ଓ ଚାଷୀମାନଙ୍କୁ ଝାରସୁଗୁଡ଼ା ସହରର କାଳୀମନ୍ଦିର ରୋଡ୍‌, ସରବାହାଲ ଓ ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତା ପାର୍ଶ୍ୱରେ ବସି ପରିବା ବିକ୍ରିପାଇଁ ନିର୍ଦ୍ଦେଶ ରହିଛି। ତଦନୁଯାୟୀ ବ୍ୟବସାୟୀ ଓ ଚାଷୀମାନେ ସହରର ବିଭିନ୍ନ ସ୍ଥାନରେ ୨ଦିନ ଧରି ପରିବା ବିକ୍ରି କରିଥିଲେ। ହେଲେ ଏଥିରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ସ୍ଥିତିରେ ଭୋର ୫ଟାରେ ସେମାନେ ପୂର୍ବଭଳି ବଜାରରେ ବ୍ୟବସାୟ କରିବା ପାଇଁ ବାହାରିଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଏହାକୁ ବାରଣ କରିଥିଲା। ଫଳରେ ମଣ୍ଡି ବ୍ୟବସାୟୀ, ଚାଷୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ସହରର ମୁଖ୍ୟରାସ୍ତାରେ ବ୍ୟବସାୟୀ ଓ ଚାଷୀମାନେ ପରିବା ଢାଳି ଧାରଣାରେ ବସିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଖବରପାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି, ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଗୋଟିଏ ଦିନ ପାଇଁ ଏହି ସାପ୍ତାହିକ ବଜାରରେ ପୂର୍ବଭଳି ବ୍ୟବସାୟ କରିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ମାଝି ଅନୁମତି ଦେଇଥିଲେ। ଏ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଉପଜିଲାପାଳ ଶିବ ଟପ୍ପୋ, ପୌର ପରିଷଦ ନିର୍ବାହୀ ଅଧିକାରୀ ମାଝି ଓ ବ୍ୟବସାୟୀ ଉପସ୍ଥିତ ଥିଲେ। ଆଲୋଚନା ଅନୁଯାୟୀ ସକାଳୁ ମଣ୍ଡି ବ୍ୟବସାୟୀମାନେ ଆସି ଖୁଚୁରା ବ୍ୟବସାୟୀଙ୍କୁ ପରିବା ଦେବେ। ଖୁଚୁରା ବ୍ୟବସାୟୀ ଏହାକୁ ନେଇ ସହରର ବିଭିନ୍ନ ସ୍ଥାନରେ ବସି ପୂର୍ବଭଳି ବିକ୍ରି କରିବେ ବୋଲି ସ୍ଥିର ହୋଇଥିଲା।