ନିର୍ମାଣର ୨ ମାସ ନ ପୂରୁଣୁ ଦବିଗଲା

କୋକସରା,୩୦।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ କାର୍ଯ୍ୟ ସମ୍ପାଦନ ହେବାର ୨ ମାସ ମଧ୍ୟ ହୋଇ ନ ଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବା ବେଳେ ରାସ୍ତା କଡରେ ଥିବା ସୂଚନା ନିର୍ଦ୍ଦେଶ ପାଇଁ ରହିଥିବା ଖୁଣ୍ଟ ସବୁ ଭୁଷୁଡି ପଡିଛି। ସୂଚନା ମତେ, ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସୂଚନା ଫଳକ ଅନୁସାରେ ପ୍ୟାକେଜ ନମ୍ବର ଓଆର ୧୫/୪୯୪ ଅନୁସାରେ ୩.୨୦ କି.ମି. ରାସ୍ତା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୧ କୋଟି ୩୮ ଲକ୍ଷ ୧୦ ହଜାର ରହିଥିବା ବେଳେ କାର୍ଯ୍ୟ ସମ୍ପାଦନ କରିବାକୁ ଜ୍ୟୋତିର୍ର୍ମୟୀ ସିଂ ଏ ଶ୍ରେଣୀଭୁକ୍ତ ଠିକାଦାରଙ୍କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଟେଣ୍ଡର ମିଳିଥିଲା। ରାସ୍ତା କାର୍ଯ୍ୟ ସମ୍ପାଦନ ପାଇଁ ୨୪।୮।୨୨ରୁ ୨୩।୫।୨୩ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିଲା। ତେବେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ କରିଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତରିଆ ସଲାସୁତୁରା ଥିବା ଯୋଗୁ ଅଧିକାରୀମାନେ ଗୁରୁତ୍ୱ ଦେଇ ନ ଥିଲେ। ଫଳରେ କାର୍ଯ୍ୟର ୨ ମାସ ନ ପୂରୁଣୁ ରାସ୍ତାର ଅନେକ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝିଙ୍କ ପ୍ରତିକ୍ରିୟା ନେବାରୁ ଅତ୍ୟନ୍ତ ହାଳୁକା ଭାବେ ଘଟଣାକୁ ନେଇ ଠିକା ସଂସ୍ଥାକୁ କହି ମରାମତି କରାଯିବ ବୋଲି କହିଛନ୍ତି।