ମାଲକାନଗିରି,୨୬।୧୦(ଡି.ଏନ.ଏ.): ସରକାରୀ ସ୍ତରରେ ପଛୁଆ ଅଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ବହୁ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ଜିଲ୍ଲା ସଦରରେ ଲୋକଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ପୌର ପରିଷଦ ଅଞ୍ଚଳର ୧୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ଥିବା ଏମଭି-୪୨ ଓ ଏମ୍ଭି-୪୩ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିର୍ମାଣ ହେବାର ଦୀର୍ଘଦିନ ବିତିଗଲାଣି। ଏବେ ଏହା ଖରାପ ହୋଇଗଲାଣି। ଏହାକୁ ମରାମତି କରାଯାଉ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଜିଲା ସଦର ମହକୁମା କଲେଜ ଛକଠାରୁ ଏମ୍ଭି-୪୩ ଗ୍ରାମକୁ ଯାଇଥିବା ୫ କି.ମି. ପିଚୁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏହି ରାସ୍ତା ଉପରେ ଅନେକ ଗ୍ରାମର ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ରାସ୍ତାରେ ଛାତ୍ରୀଛାତ୍ରୀଠାରୁ ଆରମ୍ଭ କରି ଜନସାଧାରଣ ଗାଡିମୋଟରରେ ଯାତାୟାତ କରନ୍ତି। ରାସ୍ତାରେ ସବୁବେଳେ ପାଣି ଜମି ରହି ବର୍ଷାରେ ରାସ୍ତା ପାର୍ଶ୍ୱ ଘରେ ମଇଳା ପାଣି ପଶିଯାଉଥିବା ଗ୍ରମମାସୀ ଅଭିଯୋଗ କରିଛନ୍ତି। ଜିଲା ସାଦର ମହକୁମା ରାସ୍ତା ଅବସ୍ଥା ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳରେ ପ୍ରଶାସନ କିପରି ରାସ୍ତା କରୁଥିବ ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛଇ। ତୁରନ୍ତ ଏହାକୁ ମରାମତି କରା ନ ଗଲେ ଆଗାମୀ ଦିନରେ ପୌର କର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଗ୍ରାମ ପଲ୍ଲୀମଙ୍ଗଳ କମିଟି ସଭାପତି ଅଶୋକ ଦାସ କହିଛନ୍ତି।