ପାରଳାଖେମୁଣ୍ଡି,୧୮।୪(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘୋରଣି, ବଡ଼ କୋତୋରୁ, ତାଟିପାଟି ଏହି ୩ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହି ରାସ୍ତାର ଅବସ୍ଥା ଏପରି ହେଲାଣି ଯେ, ଲୋକେ ଯାତାୟାତ କରିବା ପାଇଁ ବିପଦ ମଣୁଛନ୍ତି। କର୍ଦ୍ଦମାକ୍ତ ହୋଇପଡ଼ିଥିବାରୁ ଯାନବାହନରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହଁ। ଉପରୋକ୍ତ ୩ ପଞ୍ଚାୟତ ଅଧୀନ ୧୨ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି ଏହି ରାସ୍ତା ଉପରେ। ୩ ପଞ୍ଚାୟତ ମଧ୍ୟରେ ସ୍ବଳ୍ପ ଦୂରତା ବହନ କରୁଥିବାରୁ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଏହି ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯିବା ପରେ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଉକ୍ତ ରାସ୍ତାଟି ତାଟିପାଟି ପଞ୍ଚାୟତର ଗୋଲା ଗ୍ରାମରୁ ବାହାରି ଘୋରଣି ଓ ବଡ଼କୋତୋରୁ ପଞ୍ଚାୟତ ସହ ସଂଯୋଗ ହୋଇଛି। ଏ ନେଇ ୩ ପଞ୍ଚାୟତବାସୀ ପ୍ରଶାସନକୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ରାସ୍ତାଟି ଆଜକୁ ପ୍ରାୟ ୧୦ ବର୍ଷ ହେଲା ଖରାପ ହୋଇ ପଡ଼ିଛି। ତେବେ ଏହି ରାସ୍ତାର ପୁନଃ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ପ୍ରଶାସନକୁ ଘେରାଉ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।