Advertisement

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ ଅଭିଯୋଗକରି ଆସୁଛନ୍ତି। ବିଭାଗ କିନ୍ତୁ ଅନେକ ବାହାନା ଦେଖାଇ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ଚାଲିଛି। ନବରଙ୍ଗପୁର ବ୍ଲକ୍‌ ବଗଦରି ଗାଁରୁ ଶିରିଶି ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଓ ପୋଲ ନିର୍ମାଣ ହୋଇଥିବାବେଳେ ଏହାର ରକ୍ଷାଣାବେକ୍ଷଣ ହେଉନାହିଁ। ରାସ୍ତାବସ୍ଥା ଏତେ ଶୋଚନୀୟ ଯେ ବାଇକ୍‌ ଯିବା ମଧ୍ୟ କଷ୍ଟକର। ଏ ଦିଗରେ ଜିଲା ପ୍ରଶାସନ ଓ ସରକାର ମଧ୍ୟ ଗୁରୁତ୍ୱ ଦିଅନ୍ତୁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ବ୍ଲକ୍‌ ବଗଦରି ଗାଁରୁ ଶିରିଶି ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଓ ପୋଲ ନିର୍ମାଣ ହୋଇଛି। ଭତରାସିୟୁନିରୁ ବସିନୀ ପଞ୍ଚାୟତକୁ ଯାତାୟାତ ପାଇଁ ଏହି ରାସ୍ତା ଦୂରତା କମ୍‌। ଏହି ରାସ୍ତା ଉପରେ ବସିନୀ ପଞ୍ଚାୟତର ବଗଦରି, ଭୁରୁଭୂଷି, ଦୁମରମୁଣ୍ଡା ଭଳି ବିଭିନ୍ନ ଗାଁ ଲୋକ ନିର୍ଭର କରିଥାନ୍ତି। ଏହା ଟୁରି ଗୁଣିଥାଟ ନଦୀର ସଙ୍ଗମ ଅଞ୍ଚଳ। ଚାଷୀମାନେ ଧାନ, ମକା, ଆଖୁ, ପନିପରିବା ଆଦି ଚାଷ କରିଥାନ୍ତି। କୃଷିଜାତ ଦ୍ରବ୍ୟ ପରିବହନ ପାଇଁ ଏହି ରାସ୍ତା ଏକ ବଡ଼ ମାଧ୍ୟମ। ତେବେ ଏହି ରାସ୍ତାରେ ଖାଲଖମା ହେବା ସହିତ ପିଚୁ ଓ ମେଟାଲ ଉଠିଗଲାଣି। ରାସ୍ତା ନିର୍ମାଣ ପରେ ୫ବର୍ଷ ରକ୍ଷଣାବେକ୍ଷଣ କରାଗଲା ନାହିଁ। କାମ ନିମ୍ନମାନର ହୋଇଥିବା ଯୋଗୁ ରାସ୍ତାବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣ ହୋଇଥିବା ପୋଲର ତଳ ପଟୁ ଲୁହା ଛଡ଼ ଦେଖାଗଲାଣି। ଏନେଇ ନବରଙ୍ଗପୁର ଗ୍ରାମ ନିର୍ମାଣ ବିଭାଜନ(୧) କାର୍ଯ୍ୟାଳୟରେ ପଚାରିବା ପରେ ଜଣା ପଡିଛି, ୧ କୋଟି ୮୮ ଲକ୍ଷ ୩୮ ଲକ୍ଷ ଟଙ୍କାରେ ଅଢ଼େଇ କି.ମି. ସଡ଼କ ନିର୍ମାଣ ହୋଇଛି। ୨୦୨୯ ଏପ୍ରିଲ ୧୭ରେ କାମ ଆରମ୍ଭ ହୋଇ ୨୦୨୪ ଏପ୍ରିଲରେ ସରିଛି। ବର୍ଷାଋତୁରେ ରାସ୍ତାକଡ଼ର ଘାସ, ଡାଳପତ୍ର ସଫାକରିବା ସହିତ ପାଣି ଧାର ମରାମତି, ରାସ୍ତାରେ ଗାତ ଓ ଫାଟର ମରାମତି, କଲଭର୍ଟ ଓ ଫଳକର ମରାମତି ସହିତ କଲ୍‌ଭର୍ଟ ଓ ପୋଲ ଉପରେ ଧଳା ରଙ୍ଗ ଦେବା ଆଦି ସୂଚନା ଫଳକରେ ରହିଛି। ତେବେ ଠିକାଦାର ଏସବୁ କରି ନ ଥିବାରୁ ତିଆରିକୁ ବର୍ଷେ ବିତୁଣୁ ପିଚୁ, ମେଟାଲ ଉଠି ରାସ୍ତା ଦବିଗଲାଣି। କାମ ସାରିବା ପରେ ଠିକାଦାର ମରାମତିର ନାଁ ଧରୁନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ଦେବର୍ଷି ନାୟକଙ୍କୁ ପଚାରିବାରୁ ଉକ୍ତ ରାସ୍ତା କେବେ ସମ୍ପୂର୍ଣ୍ଣ ହୋଇଛି ଓ ତାହାର ମରାମତି ସମୟ ରହିଛିକି ନାହିଁ କ୍ଷେତ୍ର ପରିଦର୍ଶନକରି ଯାଞ୍ଚ କରିବେ। କିଭଳି ରାସ୍ତା ମରାମତି ହୋଇପାରିବ ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share