ସିଂହପୁର,୭ା୧୦(ଡି.ଏନ.ଏ.): ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବାରୁ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଆର୍ଏଣ୍ଡ୍ବି ରାସ୍ତାର ସିଂହପୁର ଗ୍ରାମରେ। ଏଠାରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି। କିଛି ମାସ ପୂର୍ବରୁ ଏହି ରାସ୍ତା ନିର୍ମାଣ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ କିଛି ସ୍ଥାନରେ ଗାଢ଼ସୃଷ୍ଟି ହୋଇ ବର୍ଷା ପାଣି ଜମି ରହୁଛି। ବର୍ଷା ସମୟରେ ଗାଢ଼ ଜଣାପଡୁ ନ ଥିବାରୁ ଲୋକେ ଯାତାୟାତବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ସିଂହପୁର ବଜାରଠାରୁ ଆରମ୍ଭ କରି ଯେନା ସାହି ସିଂହେଶ୍ୱର ପ୍ରାଥମିକ ବିଦ୍ୟାଳୟ, ବଢ଼େଇ ସାହି, ଖିଲାର ସାହି, ଗୋପବନ୍ଧୁ ଦାଣ୍ଡ, ଦଳେଇଛକ ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମିରହୁଛି। ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ବହୁ ଲୋକ ଯାତାୟାତ କରିବା ସହ ଛାତ୍ରୀଛାତ୍ର ସ୍କୁଲ ଓ କଲେଜକୁ ଯାଇଥାନ୍ତି। ତେବେ ବର୍ଷାପାଣି ଜମିରହୁଥିବାରୁ ତାହା ପଚି ଦୁର୍ଗନ୍ଧ ହେବା ସହ ଗୋଡରେ ଲାଗି ନାନା ଚର୍ମରୋଗ ଦେଖାଦେଉଛି। ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।